ଜଳିଗଲା ପୁରୀ ନୀଳଚକ୍ରରେ ଲାଗିଥିବା ମାନସିକ ବାନା

ଆଜି ଶ୍ରୀମନ୍ଦିରରେ ଅଭାବନୀୟ ଅଘଟଣ ଘିଟିଛି। ମହାଦୀପ ଉଠିବା ବେଳେ ନୀଳଚକ୍ର ବାନାରେ ଲାଗିଲା ନିଆଁ। ନୀଳଚକ୍ର ତଳେ ଲଗାଯାଇଥିବା ମାନସିକ ବାନା ପୋଡି ଯାଇଛି।

ଆଜି ପାପମୋଚନ ଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଜଳିବା ପରେ ସେଥିରୁ ପତିତପାବନ ବାନାକୁ ନିଆଁ ଧରିଯାଇଥିଲା। ସେତେବେଳେ ଝିପି ଝିପି ବର୍ଷାହେବା ସହ ପବନ ବହୁଥିଲା। ସେ ଦୀପ ରଖୁଥିବା ବେଳେ ମାନସିକ ବାନା ଉଡି ସେଥିରେ ଲାଗି ଯାଇଥିଲା। ନୀଳଚକ୍ରରେ ଲଗା ଯାଇଥିବା ବାନା ପୋଡୁଥିବା ଦେଖି ତଳେ ଛିଡା ହୋଇଥିବା ଭକ୍ତ ଏବଂ ସେବକମାନେ ବିଚଳିତ ହୋଇପଡିଥିଲେ। ଜଳିବା ପରେ ନିଆଁ ଝୁଲ ଶ୍ରୀମନ୍ଦିର ଭିତରେ ଓ ବାହାରେ ଉଡ଼ିବାର ଦେଖିବାକୁ ମିଳିଥିଲା। ଏହା କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା।

ଏହାକୁ ନେଇ ଉଦ୍‌ବେଗଜନକ ପରିସ୍ଥିତି ଲାଗି ରହିବା ପରେ ଶ୍ରୀମନ୍ଦିର ପ୍ରଶାସନ ଚୁନରା ସେବକମାନଙ୍କୁ ଅଁଳାବେଢ଼ାକୁ ପଠାଇଥିଲା। ଚୁନରା ସେବକମାନେ ଅଁଳାବେଢ଼ାକୁ ଯାଇ ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଏହି ବଡ଼ ଅଘଟଣ ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ଇତିହାସରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। କେତେକ ବରିଷ୍ଠ ସେବକ ଏହା ଅଶୁଭ ସୂଚନା ବୋଲି ମତ ଦେଇଛନ୍ତି। ତେବେ ପତିତପାବନ ବାନା ସୁରକ୍ଷିତ ଥିବାରୁ ଶ୍ରୀଜୀଉଙ୍କ ସେବାପୂଜା ଏବଂ ନୀତିକାନ୍ତିରେ ବାଧା ସୃଷ୍ଟିହୋଇନାହିଁ।

Jagganath TempleNilachakraPuri