ବନ୍ଦ ହେଲା ଦେଶର ସବୁଠାରୁ ବଡ଼ ସାଇକେଲ କମ୍ପାନୀ

ଦେଶର ୬୯ ବର୍ଷ ପୁରୁଣା ସାଇକେଲ କମ୍ପାନୀ ‘ଆଟଲାସ’ ଆର୍ଥିକ ସଙ୍କଟ କାରଣରୁ କାରଖାନାରେ କାମ କରିବା ବନ୍ଦ କରିଦେଇଛି । ଏହି କାରଣରୁ କମ୍ପାନୀରେ କାର୍ଯ୍ୟ କରୁଥିବା ୪୫୦ରୁ ଅଧିକ କର୍ମଚାରୀଙ୍କ ସାମ୍ନାରେ ଜୀବିକା ସଙ୍କଟ ଦେଖାଦେଇଛି । ସାଇକେଲ କମ୍ପାନୀ ଆଟଲାସ ଗତ କିଛି ବର୍ଷ ଧରି ଆର୍ଥିକ ସଙ୍କଟ ସହ ସଂଘର୍ଷ କରିଆସୁଥିଲା । ଆଟଲାସ ସାଇକେଲ କମ୍ପାନୀ ଏକ ସମୟରେ ବାର୍ଷିକ ୪୦ ଲକ୍ଷ ସାଇକେଲ ଉତ୍ପାଦନ କରିବାର ରେକର୍ଡ କରିଥିଲା । ଉତ୍ତରପ୍ରଦେଶର ଗାଜିଆବାଦ କାରଖାନା ଚଳାଇବା ପାଇଁ ଆଟଲାସ ଅସମର୍ଥ ବୋଲି କହିଛି ।

ଲେ ଅଫ୍ ନୋଟିସରେ ଆଟଲାସ୍ ସାଇକେଲ କମ୍ପାନୀର ମ୍ୟାନେଜର କହିଛନ୍ତି ଯେ, କାରଖାନା ଚଳାଇବା ପାଇଁ ଅପରେଟରଙ୍କ ପାଖରେ ଟଙ୍କା ନାହିଁ । କଞ୍ଚାମାଲ କିଣିବାକୁ ମଧ୍ୟ ଟଙ୍କା ନାହିଁ । ତେଣୁ କର୍ମଚାରୀଙ୍କୁ ଜୁନ୍ ୩ରୁ କାର୍ଯ୍ୟରୁ ଅବସର ନେବାକୁ କୁହାଯାଇଛି । ଜାନକୀ ଦାସ କପୁରଙ୍କ ଦ୍ୱାରା ଆଟଲାସ ସାଇକେଲ କମ୍ପାନୀ ପ୍ରତିଷ୍ଠା ହୋଇଥିଲା । ୧୯୫୧ ମସିହାରେ ପ୍ରଥମ ବର୍ଷରେ ଆଟଲାସ୍ ୧୨,୦୦୦ ସାଇକେଲ ତିଆରି କରିବାର ରେକର୍ଡ ସ୍ଥାପନ କରିଥିଲା । 

୧୯୬୫ ସୁଦ୍ଧା ଆଟଲାସ ଦେଶର ସବୁଠାରୁ ବଡ ସାଇକେଲ୍ ଉତ୍ପାଦକ କମ୍ପାନୀ ହେବାର ସୌଭାଗ୍ୟ ଲାଭ କରିଥିଲା । ୧୯୭୮ ମସିହାରେ ଭାରତରେ ପ୍ରଥମ ରେସିଂ ସାଇକେଲ ଉପସ୍ଥାପନ କରି କମ୍ପାନୀ ବିଶ୍ୱର ଶ୍ରେଷ୍ଠ ସାଇକେଲ ଉତ୍ପାଦନକାରୀ କମ୍ପାନୀ ହେବାର ଗୌରବ ହାସଲ କରିଥିଲା । 

AtlasCycle CompanyIndia