ଭାରତ ଗସ୍ତରେ ଆସି, ବିଶ୍ବର ସବୁଠୁ ବଡ଼ ଷ୍ଟାଡିୟମ୍ ଉଦଘାଟନ କରିବେ ଟ୍ରମ୍ପ୍

୨୩ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍। ଭାରତ ଗସ୍ତରେ ଆସି ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍‌ର ଉଦଘାଟନ କରିବେ ଟ୍ରମ୍ପ୍। ଅହମଦାବାଦର ସରର୍ଦ୍ଦାର ବଳ୍ଲଭ ଭାଇ ପଟେଲ୍ ମୋଟେରା ଷ୍ଟାଡିୟମକୁ ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ କୁହାଯାଉଛି। ଟ୍ରମ୍ପ୍ ଅହମଦାବାଦରେ ପହଞ୍ଚି ଏହି ଷ୍ଟାଡିୟମର ଉଦଘାଟନ କରିବେ।

ସୂଚନା ଯୋଗ୍ୟ, ଏହି କ୍ରିକେଟ ଷ୍ଟାଡିୟମକୁ ପାଖାପାଖି ୭୦୦ କୋଟି ଟଙ୍କାରେ ନିର୍ମାଣ କରାଯାଇଛି। ଏହି ଷ୍ଟାଡିୟମରେ ୧,୧୦,୦୦୦ ଦର୍ଶକ ବସି ଖେଳ ଦେଖି ପାରିବେ। ଏହାର ଶିଳାନ୍ୟାସ ୨୦୧୭ ମସିହା ଜାନୁୟାରୀ ୧୬ତାରିଖରେ ହୋଇଥିଲା। ଏହି କ୍ରିକେଟ ଷ୍ଟାଡିୟମ୍ ଅଷ୍ଟେଲିଆର ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ଏବଂ କୋଲକାତାର ଇଡେନ ଗାର୍ଡ଼େନ ଷ୍ଟାଡିୟମଠୁ ମଧ୍ୟ ବଡ଼। ଏହି ଷ୍ଟାଡିୟମକୁ ୬୩ ଏକରରେ ନିର୍ମାଣ କରାଯାଇଛି। ଲର୍ସନ୍ ଏଣ୍ଡ ଟୁବ୍ରୋ ଏବଂ ପାପୁଲସ୍ ଭଳି କନଷ୍ଟ୍ରକସନ କମ୍ପାନୀ ନିର୍ମାଣ କରିଛି। ଏହି କ୍ରିକେଟ୍ ଷ୍ଟାଡିୟମରେ ୩ଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ ଏବଂ ଏକ ଇଣ୍ଡୋର କ୍ରିକେଟ୍ ଏକାଡେମୀ ରହିଛି।

ଏହାର ପାର୍କିଙ୍ଗ୍ ଏରିଆରେ ୩୦୦୦ କାର୍ ଏବଂ ୧୦,୦୦୦ ଦୁଇ ଚକିଆ ଗାଡ଼ିକୁ ପାର୍କ କରାଯାଇପାରିବ। ଏହି ଷ୍ଟାଡିୟମରେ ୭୬ କର୍ପୋରେଟ୍ ବକ୍ସ, ୪ଟି ଡ୍ରେସିଂ ରୁମ୍, ଗୋଟିଏ କ୍ଲବ୍ ହାଉସ୍ ଏବଂ ଅଲିମ୍ପିକ୍ ସାଇଜର ଏକ ସୁଇମିଙ୍ଗ୍ ପୁଲ୍ ରହିଛି। ଏହି ପଡ଼ିଆର ଡ୍ରେନେଜ ସିଷ୍ଟମ୍ ବହୁତ ଭଲ ଭାବେ ପ୍ରସ୍ତୁତ କରାଯାଇଛି। ବର୍ଷା ଛାଡ଼ିଯିବା ପରେ ୨୦ମିନିଟ୍ ଭିତରେ ପଡ଼ିଆରେ ଖେଳ ଆରମ୍ଭ ହୋଇ ପାରିବ। ଏହା ବ୍ୟତୀତ ଡ୍ରେସିଂ ରୁମରେ ମଧ୍ୟ ଜିମର ସୁବିଧା ରହିଛି।