Odisha News Insight

କିମ୍‍ସରେ ବିରଳ ଅସ୍ତ୍ରୋପଚାର, ୭ବର୍ଷ ଶିଶୁ ଫୁସ୍‍ଫୁସ୍‍ରୁ ବାହାରିଲା କ୍ଷୀରଦାନ୍ତ

ଜଣେ ୭ବର୍ଷ ଶିଶୁର ଫୁସ୍‍ଫୁସ୍‍ରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମ୍‍ସର ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି । ବାଲେଶ୍ୱରର ସୋରୋ ଅଞ୍ଚଳରୁ ଆସିଥିବା ଏହି ଶିଶୁଟି ପାଟିରୁ ଅଜଣାତରେ କ୍ଷୀରଦାନ୍ତଟି ବାହାରି ଯାଇ ଫୁସ୍‍ଫୁସ୍‍ରେ ଅଟକି ରହିଥିଲା । ଫଳରେ ଶିଶୁଟିର ଶ୍ୱାସ ପ୍ରଶ୍ୱାସରେ ଭୀଷଣ କଷ୍ଟ ହେବାରୁ ଶିଶୁଟି ହଠାତ୍‍ ନିଦରୁ ଉଠି ପଡ଼ିଥିଲା । ପିଲାର ଅଭିଭାବକମାନେ ବିଭିନ୍ନ ଡାକ୍ତରଖାନାରେ ପରାମର୍ଶ କରିଥିଲେ ମଧ୍ୟ କୌଣସି ସୁଫଳ ନପାଇ ଶେଷରେ କିମ୍‍ସରେ ପହଞ୍ଚିଥିଲେ । କିମ୍‍ସର କର୍ଣ୍ଣ-ନାସା-ଗଳା ବିଶେଷଜ୍ଞ ଡା. ଖଗେଶ୍ୱର ରାଉତ ଶିଶୁର ପରୀକ୍ଷା କରି ଫୁସ୍‍ଫୁସ୍‍ ନିକଟରେ ଏକ ବାହାର କଣିକା ରହିଥିବା ଜାଣିପାରିଥିଲେ । ପରେ ଡା. ରାଉତଙ୍କ ନେତୃତ୍ୱରେ କିମ୍‍ସର ଡାକ୍ତରୀଦଳ ଉକ୍ତ ଶିଶୁର ଅସ୍ତ୍ରୋପଚାର କରି କ୍ଷୀରଦାନ୍ତଟିକୁ ବାହାର କରିବାର ସଫଳ ହୋଇଥିଲେ । ବର୍ତ୍ତମାନ କରୋନାର ଭୟ ବାଲେଶ୍ୱର ଅଞ୍ଚଳରେ ରହିଥିବା ବେଳେ ଡା ରାଉତ ଏବଂ ତାଙ୍କ ଦଳ ଏଭଳି ଜଟିଳ ସମସ୍ୟା ହାତକୁ ନେଇ ସଫଳ ହୋଇଥିଲେ । ଡାକ୍ତରୀ ଦଳ ପିପିଇ ପରିଧାନ କରି ଏଭଳି ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହୋଇଥିଲେ । କ୍ଷୀରଦାନ୍ତଟି ଦେଖାଯାଉଥିଲେ ମଧ୍ୟ ଏହା ଖସି ଯାଉଥିବାରୁ ଏହାକୁ ଯନ୍ତ୍ରାଂଶରେ ଧରିବାକୁ ମଧ୍ୟ ସମ୍ଭବ ହେଉନଥିଲା । ଡା ରାଉତଙ୍କୁ କର୍ଣ୍ଣ-ନାସା-ଗଳା ବିଭାଗର ଡା. ଗିଫ୍‍ଟି ଜାଚାରିଆସ ଓ ଡା. ରଚିତ ସହଯୋଗ କରିଥିବା ବେଳେ ଓ ଆନାସ୍ଥେସିଆ ବିଭାଗର ଡା. ଜଗଦ୍ଦୀଶ ଚନ୍ଦ୍ର ମିଶ୍ର, ଡା. ଅମିତ ପ୍ରଧାନ, ଡା. ଅମ୍ରିତା ଓ ଡା. ଅପର୍ଣ୍ଣା ଜୟରାଜ ସହଯୋଗ କରିଥିଲେ । ଅସ୍ତ୍ରୋପଚାର କରିଥିବା ସମସ୍ତ ଡାକ୍ତରୀ ଦଳକୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇବା ସହ କରୋନା ସମୟରେ ଏହା କିମ୍‍ସରେ ଏକ ସାମାଜିକ ଦାୟିତ୍ୱବୋଧ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Leave a comment