Odisha News Insight

ରାଜ୍ୟ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ଆଭାସ, ଜାଣନ୍ତୁ କାହା ପଲ୍ଲା କେତେ ଭାରି !

ରାଜ୍ୟ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ଆଭାସ, ଏକ ମାସ ପୂର୍ବରୁ ଓଡିଶା ଫାଷ୍ଟ କରିଥିଲା ଆକଳନ ଯାହାକୁ ଆଜି ପ୍ରକାଶ କରିଛି ପ୍ରମୁଖ ଗଣମାଧ୍ୟମ । ପଞ୍ଚମ ଥର କ୍ଷମତାସୀନ ହୋଇଥିବା ବିଜେଡି ସରକାରରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ସହ ସାଙ୍ଗଠନିକ ଦାୟିତ୍ୱରେ ମଧ୍ୟ ପରିବର୍ତ୍ତନ ହେବ । ଦଳୀୟ ଶୀର୍ଷ ନେତୃତ୍ୱ ଏବଂ ତୃତୀୟ ମହଲା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ବର୍ଷ ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ହେବାକୁ ଯାଉଛି । ଯଦି ବର୍ତ୍ତମାନର ରାଜନୈତିକ ଅଙ୍କକୁ ବିଶ୍ଳେଷଣ କରାଯାଏ ତେବେ ସେପ୍ଟେମ୍ବର ଶେଷ ସୁଦ୍ଧା ଅଦଳବଦଳ ଏକପ୍ରକାର ସୁନିଶ୍ଚିତ ବୋଲି ଜଣାପଡିଛି ।

ବିଜେଡିର ଶୀର୍ଷ ନେତୃତ୍ୱର ଜଣେ ନିକଟତର ପଶ୍ଚିମ ଓଡିଶା ନେତାଙ୍କ କହିବା ଅନୁଯାୟୀ ଅବିରକ୍ତ ବାଲେଶ୍ଵରରୁ ପ୍ରତିନିଧିତ୍ଵ କରୁଥିବା ଜ୍ୟୋତି ପାଣିଗ୍ରାହୀ, କେନ୍ଦୁଝର ଜିଲ୍ଲା ପ୍ରେମାନନ୍ଦ ନାଏକ ଏବଂ କୋରାପୁଟ ଅଞ୍ଚଳରୁ ପଦ୍ମିନୀ ଦିଆନଙ୍କ ବାଦ ଯିବାର ସମ୍ଭାବନା ବେଶୀ । ସେହିପରି ମୟୁରଭଞ୍ଜର ସୁଦାମ ମାରାଣ୍ଡି ଏବଂ ପୁରୀର ସମୀର ରଞ୍ଜନ ଦାସଙ୍କୁ ନେଇ ମଧ୍ୟ ତର୍ଜମା ଚାଲିଛି । ହେଲେ ଉଭୟ ଜିଲ୍ଲାର ରାଜନୈତିକ ସ୍ଥିତିକୁ ଦେଖିଲେ ଏହି ଦୁଇଜଣ ଅପରିବର୍ତିତ ରହିପାରନ୍ତି । ରଘୁନନ୍ଦନ ଦାସଙ୍କୁ ନେଇ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନିଆଯାଇ ପାରେ । ସେହିପରି ବିଜେଡିର ଶୀର୍ଷ ନେତୃତ୍ୱ କେତେକ ମନ୍ତ୍ରୀଙ୍କର ବିଭାଗ ପରିବର୍ତ୍ତନକୁ ନେଇ ଚିନ୍ତା ବଢୁଥିବାର ଜଣାପଡୁଛି ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ, ନଗରଉନ୍ନୟନ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କୁ ନେଇ ପ୍ରାଥମିକ ଆଲୋଚନା ହୋଇଛି । ନୂତନ ମନ୍ତ୍ରୀ ମଣ୍ଡଳକୁ ୨ଜଣ ପୁରୁଣା ହେଭିୱେଟ ଫେରିବାର ସମ୍ଭାବନା ଅଧିକ । ଏହି ଦୁଇଜଣ ହେଲେ କେନ୍ଦ୍ରାପଡ଼ାର ପ୍ରତାପଦେବ ଏବଂ କେନ୍ଦୁଝରର ବଦ୍ରୀ ନାରାୟଣ ପାତ୍ର । ଅନ୍ୟ ବରିଷ୍ଠ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମଲଙ୍କ ନାମ ବର୍ତ୍ତମାନ ବିଚାରକୁ ନିଆଯାଇପାରେ । ସେହିପରି ଯୁବ ବିଧାୟକଙ୍କ ମଧ୍ୟରେ ଲତିକା ପ୍ରଧାନ, ସୁଶାନ୍ତ ରାଉତ, ସୁନନ୍ଦା ଦାସ ଏବଂ ମିନାକ୍ଷୀ ମହନ୍ତଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ନିଜସ୍ୱ ଉଦ୍ୟମରେ ମନ୍ତ୍ରୀ ହେବାପାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ପାଣିଗ୍ରାହୀ ଏବଂ ଦେବୀପ୍ରସାଦ ମିଶ୍ର ଚେଷ୍ଟା କରୁଥିବା ସୂଚନା ମିଳିଛି ।

Leave a comment