Odisha News Insight

୨୦ ଫେବୃଆରୀରୁ ପ୍ରଶାନ୍ତ କିଶୋରଙ୍କ ‘ବାତ୍‌ ବିହାର କି’ କାର୍ଯ୍ୟକ୍ରମ, ଟାର୍ଗେଟରେ ନୀତୀଶ

ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କ ସହଥିବା ସମ୍ବନ୍ଧକୁ ନେଇ ପ୍ରଥମେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ନୀତୀଶ କୁମାର ମୋର ପିତୃତୁଲ୍ୟ। ତାଙ୍କ ସହିତ ମୋର ରାଜନୈତିକ ସମ୍ବନ୍ଧ ନାହିଁ। ସେ ମୋତେ ତାଙ୍କ ପୁଅ ଭଳି ରଖିଥିଲେ। ତାଙ୍କ ସହିତ ମୋର କେବଳ ବଚାରଧାରକୁ ନେଇ ମତଭେଦ ଅଛି।

ଆଜିର ସମୟରେ ନାଥୁରାମ ଗଡ଼ସେଙ୍କ ବିଚାରଧାରାକୁ ବିଶ୍ବାସ କରୁଥିବା ଲୋକଙ୍କ ସହ ନୀତୀଶ କୁମାର ଅଛନ୍ତି। ସତ କଥା ହେଲାକି ମହାତ୍ମା ଗାନ୍ଧୀ ଓ ନାଥୁରାମ ଗଡ଼ସେ କେବେ ହେଲେ ଏକାସଙ୍ଗେ ଚାଲି ପାରିବେ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ଏଥିସହିତ ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ନୀତୀଶ ସାର ଆପଣ କିଭଳି ଗାନ୍ଧୀ ଓ ଗଡ଼ସେଙ୍କୁ କିଭଳି ଏକାସାଙ୍ଗେ ନେଇ ଆଗକୁ ଯାଇ ପାରିବେ।

ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି ଯେ, ନୀତୀଶ କୁମାର ଓ ବିଜେପି ମଧ୍ୟରେ ଥିବା ସମ୍ବନ୍ଧ ନୂଆ କଥା ନୁହେଁ। ହେଲେ ଆଜିର ବିଜେପି ଓ ପୂର୍ବ ବିଜେପି ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ଏଥିସହିତ ପ୍ରଶାନ୍ତ କିଶୋର ୨୦ ଫେବୃଆରୀରୁ ବିହାରରେ ‘ବାତ ବିହାର କି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଶାନ୍ତ କିଶୋର ସାରା ରାଜ୍ୟରେ ୧୦୦ ଦିନର ଯାତ୍ରା କରିବେ।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ କେଉଁଆଡ଼େ ମଧ୍ୟ ଯିବାର ନାହିଁ, ଏଇଠି ବିହାର ପାଇଁ ହିଁ କାମ କରିବି। ମୁଁ ବିହାରର ବିକାଶ ଚାହୁଁଥିବା ଯୁବବର୍ଗକୁ ଆହ୍ୱାନ କରୁଛି ମୋ ସହ ଏହି ‘ବାତ୍‌ ବିହାର କୀ’ ଅଭିଯାନରେ ଯୋଗ ଦିଅନ୍ତୁ।” ଏଥିସହିତ ଆହୁରି କହିଛନ୍ତି ଯେ,୧୫ ବର୍ଷ ପାଇଁ ନୀତୀଶଙ୍କ ନେତୃତ୍ୱରେ ବିହାର ବହୁତ ବିକାଶ ଦେଖିଛି। କିନ୍ତୁ ଏହି ନୂଆ ବନ୍ଧୁତ୍ୱ ବିହାର ପାଇଁ କିଛି କାମରେ ଲାଗୁଛି କି? ନୀତୀଶ କୁମାର ଗଡ୍‌ସେ ବିଚାରର ଲୋକଙ୍କ ପକ୍ଷ ନେଉଛନ୍ତି। ଗାନ୍ଧି ଓ ଗଡ୍‌ସେ ଏକାଠି ଯାଇପାରିବେନି।

ସେ ନୀତୀଶଙ୍କ ନେତୃତ୍ୱରେ ବିହାରର ବିକାଶ ବାବଦରେ ପ୍ରଶ୍ନ କରିଛନ୍ତି, ବିହାର ୨୦୦୫ ମସିହାରେ ସବୁଠାରୁ ଗରିବ ରାଜ୍ୟ ଥିଲା। ଆଜି ମଧ୍ୟ ତାହା ଅଛି। କେହି ନୀତୀଶଙ୍କ ଶାସନ ମଡେଲ ବାବଦରେ ପ୍ରଶ୍ନ କରୁନାହାନ୍ତି। ମହାରାଷ୍ଟ୍ର ଓ କର୍ଣ୍ଣାଟକା ତୁଳନାରେ ଏହି ରାଜ୍ୟ କେତେ ଉନ୍ନତି କରିଛି?

Leave a comment