Odisha News Insight

୩ ଦିନରେ ସରିଲା ୧୦ବର୍ଷର କାମ

ଗାଁରେ ଦୀର୍ଘ ବର୍ଷ ଧରି ଜମିକୁ ପାଣି ନଥିଲା । ଫଳରେ ଗ୍ରାମରେ ଥିବା ଲୋକଙ୍କ ଜମିରେ ଧାନ ଚାଷ ସମେତ ବିଭିନ୍ନ ଚାଷ କରିବା ପାଇଁ ପାଣିର ସମସ୍ୟା ଉକ୍ରଟ ଭାବରେ ଲାଗିରହିଥିଲା । ଅଂଚଳରେ ସ୍ୱାଭାବିକ ମୌସୁମୀ ଲୁଚକାଳି ଖେଳୁଥିବା ବେଳେ ପ୍ରଚଣ୍ଡ ଖରାରେ ଚାଷ ଜମି ଗୁଡ଼ିକ ବର୍ଷ ବର୍ଷ ଧରି ଫାଟି ଆଁ କରି ରହିଥାଏ । ଗ୍ରାମ ଠାରୁ ୧କିଲୋମିଟର ଦୁରରେ ଜଳ ଉତ୍ସ ରହିଥିଲେ ମଧ୍ୟ ଗାଁ ଚାଷ ଜମିକୁ ପାଣି ଆସିପାରିନଥିଲା । ଚାଷ ବ୍ୟତୀତ ଗ୍ରାମରେ ଆଉ କୌଣସି କାମ ଧନ୍ଦା ନଥିବା କାରଣରୁ ୧୦ବର୍ଷରୁ ଉର୍ଦ୍ଧ ସମୟ ହେଲା ଗ୍ରାମର ଯୁବକ ଯୁବତୀମାନେ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି ।

ତେବେ କରୋନା ଯୋଗୁଁ ରାଜ୍ୟ ବାହାରକୁ ଯାଇଥିବା ଦାଦନ ଶ୍ରମିକ ତଥା ପ୍ରବାସୀମାନେ କାମ ଧନ୍ଦାନପାଇ ପୁଣି ଥରେ ନିଜ ଭିଟାମାଟିକୁ ଫେରିଛନ୍ତି । ତେବେ ଗ୍ରାମକୁ ଫେରିବା ପରେ ପ୍ରବାସୀଙ୍କୁ ପରିବାର ପ୍ରତିପୋଷଣ ପାଇଁ ରୋଜଗାରର ଚିନ୍ତା ଲାଗିରହିଥିଲା । ତେବେ ଗାଁ କୁ ଫେରିଥିବା ପ୍ରବାସୀମାନେ ଆଲୋଚନା କରି ସମସ୍ତେ ମିଳିମିଶି ଯାହା ବର୍ଷ ବର୍ଷ ଧରି କରିପାରିନଥିଲେ ତାହାକୁ ମାତ୍ର ୩ଦିନ ସଂଘର୍ଷ କରି ଦେଖାଇଛନ୍ତି । ଗ୍ରାମବାସୀ ମାନେ ପାହାଡ଼ କାଟି ଦୀର୍ଘ ୧ କିଲୋମିଟର ପର୍ଯ୍ୟନ୍ତ ପାହାଡ ଼କଡ଼ରେ ଗାଁ ମୁଣ୍ଡକୁ ପାଣି ଆଣିବାରେ ସକ୍ଷମ ହୋଇଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଂଚାୟତ କଙ୍ଗଡାକ ଗ୍ରାମରେ । ଗ୍ରାମରେ ପ୍ରାୟ ୩୦ ପରିବାରର ୧୮୦ଜଣ ରହୁଥିବା ବେଳେ ସମସ୍ତେ ଚାଷ ଉପରେ ନିର୍ଭର ଶୀଳ କିନ୍ତୁ ଚାଷ ଜମିକୁ ପାଣି ନଥିଲା କିନ୍ତୁ ଗ୍ରାମବାସୀ ମାନେ ପ୍ରାୟତଃ ରାଜ୍ୟ ବାହାରେ ରହୁଥିବା କାରଣରୁ ସେମାନଙ୍କ ମଧ୍ୟରେ ଏକତା ନଥିଲା । ତେବେ ଗ୍ରାମକୁ ଫେରିବା ପରେ ରୋଜଗାର ଚିନ୍ତା କରୁଥିବା ବେଳେ ସେମାନଙ୍କୁ ଏକାଠି କରିଥିଲା ସ୍ଥାନୀୟ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସବୁଜ ବୈଦ୍ୟ ସଂଗଠନ । ସଂଗଠନ ଗ୍ରାମବାସୀଙ୍କୁ ଏକତା ହିଁ ବଳ ଏବଂ ସମସ୍ତେ ଏକ ହେଲେ ଅସମ୍ଭବ କାର୍ଯୟ ମଧ୍ୟ ସମ୍ଭବ ବୋଲି କହି ସମସ୍ତେ ମିଳିମିଶି ନିଜ ହାତରେ କୋଡ଼ି କୋଦାଳ ଶାବଳ ଧରି ଚାଷ ଜମିକୁ ପାଣି ଆଣିବା ସମ୍ଭବ ବୋଲି କହିଥିଲେ । ଏହାପରେ ଗ୍ରାମବାସୀମାନେ ବୁଡୁକେଜୁ ପାହାଡ଼ ଉପରେଥିବା ଜଳଉତ୍ସ ଠାରୁ ୧କିଲୋମିଟର ପର୍ଯ୍ୟନ୍ତ ପାହାଡ଼ର କଡେ଼ କଡେ଼ ପାଣି ଆଣିଥିଲେ । ବର୍ତମାନ ଗାଁରେ ଥିବା ଚାଷ ଜମିକୁ ପାଣି ଆସିଥିବାରୁ ଗ୍ରାମବାସୀ ମାନଙ୍କର ଆନନ୍ଦ କହିଲେ ନ’ସରେ । ପାଣି ଜମିକୁ ଆସିଥିବାରୁ ବର୍ତମାନ ଗ୍ରାମବାସୀ ମାନେ ବିଭିନ୍ନ ପ୍ରକାର ଚାଷବାସ କରି ପରିବାର ପ୍ରତିପୋଷଣ କରିପାରିବେ ବୋଲି ଗ୍ରାମର ଝିମେନ୍ଦ୍ର ମାଝୀ ,ମର୍କ ପ୍ରଧାନ, ସୁକାଳତା ପ୍ରଧାନ ଓ ଅର୍ପିତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି ।

Leave a comment