Odisha News Insight

ଏମଆରପି ଉପରେ ୫୦% ସ୍ୱତନ୍ତ୍ର କୋଭିଡ ଫି

ଭୁୁବନେଶ୍ୱର: କାଲିଠାରୁ ଅନଲାଇନ୍ ରେ ମିଳିଯିବ ମଦ । ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି । ଅର୍ଡର ଦେବାର ୬ ଘଣ୍ଟାରେ ଜିନିଷ ପହଞ୍ଚିବ । ତେବେ ଗରାଖଙ୍କ ପାଇଁ ଏହା ମହଙ୍ଗା ହେବ । ବିଦେଶୀ ମଦ ଓ ବିୟର ଉପରେ ଲାଗିବ କୋଭିଡ ଫି । ଏମଆରପି ଉପରେ ଗରାଖଙ୍କୁ ୫୦% ସ୍ୱତନ୍ତ୍ର କୋଭିଡ ଫି ଦେବାକୁ ପଡ଼ିବ । ଏହି ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ । ଆଜି ଅବକାରୀ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ସବୁ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ହୋମ୍ ଡେଲିଭରି ଦେବେ । କଣ୍ଟେନମେଣ୍ଟ ଜୋନ୍ ଛାଡ଼ିଦେଲେ ଅନ୍ୟ ସବୁଠି ହୋମ୍ ଡେଲିଭରି ହେବ । ମଦ ଦୋକାନ ଆଗରେ ଏକ ଡିସପ୍ଲେ ରହିବ ଯେଉଁଥିଲେ ସଂପୃକ୍ତ କାଉଣ୍ଟର୍ ର ଫୋନ୍ ନମ୍ବର, ହ୍ୱାଟସ୍ ଆପ ନମ୍ବର, ଇ-ମେଲ୍ ଆଇଡି, ୟୁପିଆଇ ତଥ୍ୟ ରହିବ । ମୋବାଇଲ୍, ହ୍ୱାଟସ୍ ଆପ୍, ଏସଏମଏସ୍ ଆଦି ଜରିଆରେ ଗରାଖ ନିଜର ଠିକଣା ସହ ଜିନିଷ ଅର୍ଡର ଦେବେ । ଅବକାରୀ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସର୍ଭିସ୍ ପ୍ରୋଭାଇଡର୍ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ନେଇ ଜିନିଷ ପହଞ୍ଚାଇଦେବେ ।

ହୋମ୍ ସର୍ଭିସ୍ ଖର୍ଚ୍ଚ ଗରାଖଙ୍କୁ ଦେବାକୁ ପଡ଼ିବ । ୧ ହଜାର ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ପଡ଼ିବ ୧୦୦ ଟଙ୍କା । ତାପରେ ପ୍ରତି ୫୦୦ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ହୋମ ଡେଲିଭରି ଚାର୍ଜ ୩୦୦ ଟଙ୍କାରୁ ଅଧିକ ହୋଇପାରିବନି । ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହୋମ୍ ଡେଲିଭରି ହେବ । ଡେଲିଭରି ଭୟ କୋଭିଡ୍ ଗାଇଡଲାଇନ୍ ଭିତରେ କାମ କରିବେ । ୬ ଫୁଟ୍ ଦୂରତ୍ୱ ଏବଂ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଗରାଖ ନଗଦ ଟଙ୍କା ଦେଇପାରିବେ । କାର୍ଡରେ ପେମେଣ୍ଟ କଲେ ଆହୁରି ଭଲ ।

ଓଏସବିସି ୱେସାଇଟ ocbc.co.in. ରେ ଜିଲ୍ଲାୱାରୀ ତଥ୍ୟ ରହିବ । ମଦର ମୂଲ୍ୟ ମଧ୍ୟ ରହିବ । ତେଣୁ ଗରାଖ ଠକାମୀରେ ପଡ଼ିବେ ନାହିଁ ।

Leave a comment