Odisha News Insight

ଫେସ୍‌ବୁକରେ ସାଇବର ଠକ: ଏହି ନମ୍ବରରେ ଫୋନ କଲେ ଘରେ ପହଞ୍ଚିବ ମଦ

 ରାଜ୍ୟବାସୀ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ଆରମ୍ଭ ହୋଇଯାଇଛି ସାଇବର ଠକେଇର ନୂଆ ଅଧ୍ୟାୟ। ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ବନ୍ଦ ଥିବା ବେଳେ ମଦ ହୋମ୍‌ ଡେଲିଭରୀ ନାମରେ ଠକେଇର ଜାଲ ବିଛାଇଛନ୍ତି ସାଇବର ଡକାୟତ। ଫେସବୁକ୍‌କୁ ଏଥିପାଇଁ ଏମାନେ ସହଜ ମାଧ୍ୟମ କରିଛନ୍ତି।

ଏମିତି ଏକ ନୂଆ ଫେସବୁକ୍‌ ଆକାଉଣ୍ଟ ଏବେ ନଜରକୁ ଆସିଛି। ରସୁଲଗଡ଼ର ବ୍ଲକ୍-୧, ସେକ୍ଟର-୧ରେ ଥିବା ଦାବି କରୁଥିବା ଏହି ମଦ ଦୋକାନ ଘରେ ମଦ ପହଞ୍ଚାଇବ ବୋଲି ଫେସବୁକରେ ଘୋଷଣା କରିଛି। ଆଉ ଏଥିପାଇଁ ଏକ ମୋବାଇଲ ନମ୍ବର ମଧ୍ୟ ଦେଇଛି। ଅସଲରେ ରସୁଲଗଡ଼ ଅଞ୍ଚଳରେ ସେକ୍ଟର-୧, ବ୍ଲକ୍-୧ ବୋଲି କୌଣସି ସ୍ଥାନ ନଥିବା ବେଳେ ଏହା ସାଇବର ଠକଙ୍କର ଜାଲ ବୋଲି ଜଣାପଡ଼ିଛି। ଏହି ଫେସ୍‌ବୁକ୍‌ ପେଜ୍‌ଟି ଗତକାଲି (୭ ଏପ୍ରିଲ)ରେ ତିଆରି ହୋଇଛି।

ଲକ୍‌ଡାଉନ୍‌ ସମୟରେ ମଦ ପାଇଁ ଡହଳବିକଳ ବ୍ୟକ୍ତି ଏହି ଜାଲରେ ଫସିଯିବାର ସମ୍ଭାବନା ରହିଛି। ଗତ ସପ୍ତାହରେ ଏମିତି ଏକ ସାଇବର ଠକେଇ ନେଇ ଭୁବନେଶ୍ବର କମିଶନରେଟ୍‌ ପୁଲିସରେ ଅଭିଯୋଗ ହୋଇଥିଲା। ବିବେବକାନନ୍ଦ ମାର୍ଗରେ ରହୁଥିବା ଜଣେ ବ୍ୟାଙ୍କ ଅଧିକାରୀ ଅନ୍‌ଲାଇନ୍‌ରେ ବିଅର୍‌ ଅର୍ଡର ଦେଇ ୧୯ ହଜାର ଟଙ୍କା ହରାଇଥିଲେ। ଅନ୍ୟ ଜଣେ ବ୍ୟକ୍ତି ୭ ହଜାର ଟଙ୍କା ହରାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ବରର କିଛି ଦୋକାନୀଙ୍କ ନାମରେ ମିଛରେ କେହି ଠକୁଥିବା ଅଭିଯୋଗକରି ମଦ ବ୍ୟବସାୟୀ ମଧ୍ୟ ପୁଲିସରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଠକମାନେ ଉତ୍ତରପ୍ରଦେଶରେ ବସି ,ଭଳି ସାଇବର ଜାଲ ବିଛେଇଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ଓ ପ୍ରଶାସନ କରୋନା ଲଢ଼େଇରେ ମାତିଥିବା ବେଳେ ସାଇବର ଠକ ଲୋକଙ୍କ ଆତୁରତାର ଫାଇଦା ନେବାକୁ ବସିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଭାରତରେ ଅନ୍‌ଲାଇନ୍‌ ମଦ ବିକ୍ରିର କୌଣସି ସୁବିଧା ନାହିଁ। କୌଣସି ମଦ ବ୍ୟବସାୟୀ ହୋମ୍‌ ଡେଲିଭରୀ ଦେବାପାଇଁ ଅଧିକୃତ ନୁହନ୍ତି। ଏଣୁ ଏଭଳି ମିଛ ପ୍ରଲୋଭନରୁ ଦୂରେଇ ରହନ୍ତୁ।

Leave a comment