Odisha News Insight

କ୍ରିକେଟ ଖେଳରୁ କରୋନା, କଳାହାଣ୍ଡିରେ ଆଉ ଜଣେ ପଜିଟିଭ୍ ଚିହ୍ନଟ

ଗତକାଲି ବିଳମ୍ବିତ ରାତିରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଳାହାଣ୍ଡିରେ ଜଣେ ବ୍ୟକ୍ତି ଅଛନ୍ତି। ଏହା ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୨ରେ ପହଞ୍ଚିଛି। ଗତକାଲି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମ ଆକ୍ରାନ୍ତଙ୍କ ସହିତ ମିଶି ସେ କ୍ରିକେଟ୍ ଖେଳିଥିଲେ ବୋଲି କଳାହାଣ୍ଡି ଜିଲ୍ଲାପାଳଙ୍କ ସୂତ୍ରରୁ ସୂଚନା ଆସିଛି।

ସଚେତନତା ଅଭାବରୁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ଅଞ୍ଚଳରେ କରୋନା ଭୂତାଣୁ ଜଣକଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଛି। ବିଦେଶ ଫେରନ୍ତା ଯୁବକ ହୋମ କ୍ବାରେଣ୍ଟାଇନରେ ନ ରହି ଗାଁରେ କ୍ରିକେଟ ଖେଳିବାରୁ ତାଙ୍କଠାରୁ ଅନ୍ୟ ଜଣେ ଯୁବକଙ୍କୁ ଏହି ଭୂତାଣୁ ଡେଇଁଛି। ନୂଆ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କୁ ଶୁକ୍ରବାର କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କୁ କଟକ ସ୍ଥିତ ଅଶ୍ବିନୀ ହସ୍ପିଟାଲରେ ଆଇସୋଲେଶନରେ ରଖି ଚିକିତ୍ସା କରାଯିବ।

ସୂଚନା ଅନୁସାରେ, ଗତ ୪ ତାରିଖ ଦିନ ଉକ୍ତ ଅଞ୍ଚଳର ଜଣେ ବିଦେଶ ଫେରନ୍ତା ୨୯ ବର୍ଷ ଯୁବକଙ୍କ ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରେ କରୋନା ପଜିଟିଭ ବାହାରିଥିଲା । ଉକ୍ତ ଯୁବକ ତାର ଗ୍ରାମରେ ସାଙ୍ଗ ମାନଙ୍କ ସହିତ ମିଶି କରି କ୍ରିକେଟ ଖେଳିଥିଲା । କରୋନା ଆକ୍ରାନ୍ତ ଯୁବକ ସଂସ୍ପର୍ଶରେ ଆସିଥିବା ୩୯ ଜଣଙ୍କ ରକ୍ତ ସ୍ୱାବ ପରୀକ୍ଷଣ ପାଇଁ ଭୁବନେଶ୍ୱର ପଠାଯାଇଥିଲା । ସେଥିମଧ୍ୟରୁ ଗତ ୯ ତାରିଖ ଦିନ ୩୫ ଜଣଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ବାହାରି ଥିଲା । ବାକି ୪ ଜଣଙ୍କ ମଧ୍ୟରୁ ଗତ ୯ ତାରିଖ ରାତିରେ ୨୦ ବର୍ଷର ଯୁବକଙ୍କ ନମୁନା କରୋନା ପଜିଟିଭ୍ ବାହିରିଥିବା ରିପୋର୍ଟ ଆସିଥିଲା। ଆଜି ୧୦ ତାରିଖ ଦିନ ଜିଲା ସ୍ୱାସ୍ଥ୍ୟ ବିଭାଗ କଡା ସୁରକ୍ଷାରେ ନୂତନ ପଜିଟିଭ୍ ବାହାରିଥିବା ୨୦ ବର୍ଷୀୟ ଯୁବକକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ପଠାଇଛି । ଅନ୍ୟ ୩ ଜଣଙ୍କ ରକ୍ତ ଓ ସ୍ୱାବ ନମୁନା ରିପୋର୍ଟ ଆସି ନ ଥିବା ସିଡ଼ିଏମ୍ଓ ଜଗୁଲାଲ ଅଗ୍ରୱାଲ ପ୍ରକାଶ କରିଛନ୍ତି।

Leave a comment