Odisha News Insight

ମଦ ଭରସାରେ ଅର୍ଥନୀତି: ଏମିତି ରହିଛି ହିସାବ କିତାବ

ଦିଲ୍ଲୀର ‘ସ୍ପେସାଲ କରୋନା ଫି’ ପରେ ରାଜସ୍ୱ ବୃଦ୍ଧି ପାଇଁ ଅନେକ ରାଜ୍ୟ ମଦ ଦାମ ବଢ଼ାଇଛନ୍ତି । ଏହି ମୂଲ୍ୟ ବୃଦ୍ଧି ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟଗୁଡ଼ିକର ଡୁବିଯାଉଥିବା ଅର୍ଥନୀତିକୁ ସହାୟକ ହୋଇଛି । ଇଣ୍ଡିଆ ରେଟିଂସର ଚିଫ୍ ଇକୋନୋମିଷ୍ଟ ଡି.କେ. ପନ୍ଥଙ୍କ ଅନୁସାରେ ମାର୍ଚ୍ଚ ୨୫ ପରଠୁ ଲକ୍‌ଡାଉନ୍ ଯୋଗୁ ରାଜ୍ୟଗୁଡ଼ିକର ରାଜସ୍ୱ ଶୁଖିବାରେ ଲାଗିଛି । ଦରମା, ପେନସନ, ସୁଧ ଓ କୋଭିଡ୍‌-୧୯ ଜନିତ ଜରୁରୀ ସ୍ୱାସ୍ଥ୍ୟସେବା ବାବଦକୁ ବ୍ୟୟ ପରିମାଣ ପ୍ରତ୍ୟେକ ରାଜ୍ୟର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ଆୟର ମୁଖ୍ୟ ଉତ୍ସଗୁଡ଼ିକ ମଧ୍ୟ ବହୁଳ ଭାବେ ପ୍ରଭାବିତ ହୋଇଛି । ଆର୍ଥିକ କାରବାରରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ଏସ୍‌ଜିଏସ୍‌ଟି ଏବଂ ଭିଏଟି ମଧ୍ୟ ସେତେଟା ମିଳୁନାହିଁ । ତେଣୁ ରାଜ୍ୟର ଅର୍ଥନୀତିକୁ ଆଶ୍ୱସ୍ତି ଦେବା ପାଇଁ ମଦ ହିଁ ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି ।

କେନ୍ଦ୍ର ସରକାର ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କଟକଣା କୋହଳ କରିବା ପରେ ଅନେକ ରାଜ୍ୟରେ ସୋମବାରଠାରୁ ମଦ ଦୋକାନ ଖୋଲିଛି । ସେଗୁଡ଼ିକରେ ଆଲକୋହଲ କିଣିବା ପାଇଁ ପ୍ରବଳ ଗହଳି ଜମୁଥିବା ଦେଖିବାକୁ ମିଳିଛି । ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛନ୍ତି ଦିଲ୍ଲୀ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଆସାମ, କର୍ଣ୍ଣାଟକ, ଛତିଶଗଡ଼ ଓ ରାଜସ୍ଥାନ । ସେହିପରି ଆସାମରେ ଶନିବାରଠାରୁ ମଦ ଦୋକାନଗୁଡ଼ିକ ଖୋଲାଯାଇଛି । ତେବେ ମଙ୍ଗଳବାର ଆଲକୋହଲ ଉପରେ ଅନେକ ରାଜ୍ୟ ଅବକାରୀ ଟିକସ ବୃଦ୍ଧି କରିଛନ୍ତି । ଏଥିପାଇଁ ଲିକର୍ ପ୍ରାଇସ୍ ଏବେ ଆକାଶଛୁଆଁ ହୋଇଛି ।

ଦିଲ୍ଲୀ ସରକାର ସୋମବାର ସନ୍ଧ୍ୟାରେ ମଦ ଉପରେ ଏକ ‘ସ୍ୱତନ୍ତ୍ର କରୋନା ଫି’ ଲାଗୁ କରିଛନ୍ତି । ଏହି କେନ୍ଦ୍ରଶାସିତ ଅଂଚଳରେ ୮୦୦ ମଦ ଦୋକାନ ଥିବାବେଳେ ୧୫୦ଟିରେ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ସେଠାରେ ସମସ୍ତ ମଦର ଏମ୍‌ଆର୍‌ପି ଉପରେ ଅତିରିକ୍ତ ୭୦% କର ବସାଯାଇଛି । ଆନ୍ଧ୍ର ପ୍ରଦେଶ ଦିଲ୍ଲୀକୁ ଅନୁକରଣ କରି ମଦ ମୂଲ୍ୟ ଉପରେ ୭୫% ଅବକାରୀ ଟିକସ କଷିଛି । ପଶ୍ଚିମବଙ୍ଗରେ ମଦ ଦାମରେ ୩୦% ବୃଦ୍ଧି କରାଯାଇଥିବାବେଳେ ରାଜସ୍ଥାନରେ ଆଲକୋହଲ ୧୦% ମହଙ୍ଗା ହୋଇଛି ।

କରୋନା ଭାଇରସ୍‌ର ମୁକାବିଲା ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଅନ୍ୟ ସମସ୍ତ ବ୍ୟବସାୟିକ କାରବାର ଏକପ୍ରକାର ଠପ୍ ହୋଇଯିବା ଫଳରେ ରାଜ୍ୟ ରାଜକୋଷକୁ କୌଣସି ଆଡ଼ୁ ଅର୍ଥ ଆସୁନାହିଁ । ତେଣୁ ପ୍ରାୟ ସମସ୍ତ ରାଜ୍ୟ ଏହି ଉପାୟ ଅବଲମ୍ବନ କରି ନିଜ ରାଜକୋଷରେ ରାଜସ୍ୱ ଭରିବା ପାଇଁ ଯୋଜନା କରୁଛନ୍ତି । ପ୍ରତ୍ୟେକ ରାଜ୍ୟର ରାଜକୋଷକୁ ରାଜସ୍ୱ ଆଗମନର ଦ୍ୱିତୀୟ କିମ୍ବା ତୃତୀୟ ଉତ୍ସ ହେଉଛି ଅବକାରୀ ଟିକସ । ତେଣୁ ରାଜ୍ୟଗୁଡ଼ିକ ବିଗତ ତିନିଦିନ ମଧ୍ୟରେ ମଦ ଦୋକାନ ଖୋଲାଇ ବିପୁଳ ଅର୍ଥ ଆୟ କରିଛନ୍ତି । ଆସାମରେ ମଙ୍ଗଳବାର ସୁଦ୍ଧା ୫୦ କୋଟି ଟଙ୍କା ରାଜସ୍ୱ ମିଳିଛି । ଆନ୍ଧ୍ରପ୍ରଦେଶରେ କେବଳ ପ୍ରଥମ ଦିନରେ ୪୦ କୋଟି ଟଙ୍କାର ରାଜସ୍ୱ ମଦରୁ ଆସିଛି । ସେହିପରି କର୍ଣ୍ଣାଟକକୁ ସୋମବାର ୪୫ କୋଟି ଓ ମଙ୍ଗଳବାର ୧୯୭ କୋଟି ଟଙ୍କା ରାଜସ୍ୱ ଦେଇଛି ମଦ । ଏହି ରାଜ୍ୟରେ ଲକ୍‌ଡାଉନ୍ ପୂର୍ବରୁ ଦିନକୁ ପ୍ରାୟ ୫୪ କୋଟି ଟଙ୍କା ମଦରୁ ଆସୁଥିଲା । ଏବେ ୟେଦୁରପ୍ପା ସରକାର ଆଲକୋହଲ ଉପରେ ଅତିରିକ୍ତ ୫ରୁ ୧୫% କୋଭିଡ୍ ଟ୍ୟାକ୍ସ ଲଗାଇବା ପାଇଁ ଚିନ୍ତା କରୁଛନ୍ତି । ରାଜସ୍ଥାନରେ ଇଣ୍ଡିଆନ୍ ମେଡ୍ ଫରେନ୍ ଲିକର (ଆଇଏମ୍‌ଏଫ୍‌ଏଲ୍‌) ଉପରେ ୩୫% ଓ ଅନ୍ୟ ବର୍ଗର ମଦ ଉପରେ ୪୫% ଏକ୍ସାଇଜ୍ ଡ୍ୟୁଟି ଗତ ସପ୍ତାହରୁ ଆଦାୟ କରାଯାଉଛି । ରାଜସ୍ଥାନର ଅଶୋକ ଗେହଲଟ ସରକାର ଲକ୍‌ଡାଉନ୍ ଯୋଗୁ ଦିନକୁ ପ୍ରାୟ ୪୧ କୋଟି ଟଙ୍କାର ରାଜସ୍ୱ ହରାଉଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଥିବାରୁ ମୋଟ ରାଜସ୍ୱ ଉପରେ ଅତିରିକ୍ତ ୩୦୦୦ରୁ ୪୦୦୦ କୋଟି ଟଙ୍କା ଆୟ ହେବ ବୋଲି ଆଶା ରଖିଛନ୍ତି । ଗତବର୍ଷ ମମତା କେବଳ ମଦ ବିକ୍ରିରୁ ୧୧,୬୨୭ କୋଟି ଟଙ୍କା ପାଇଥିଲେ । ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ପ୍ରଥମ ଦିନରେ ତାଙ୍କ ରାଜକୋଷକୁ ୪୦ କୋଟି ଟଙ୍କା ମଦ ଦୋକାନୀମାନେ ଟିକସ ଆକାରରେ ଦେଇଛନ୍ତି । ସେହିପରି ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ମଧ୍ୟ ବିଭିନ୍ନ ପ୍ରକାର ମଦ ଉପରେ ଭିନ୍ନ ଭିନ୍ନ ଭାବେ ଟିକସ ବୃଦ୍ଧି କରାଯାଇଛି । ୧୯୦ ଏମ୍‌ଏଲ୍‌ର କ୍ୱାର୍ଟର ଉପରେ ୧୦ ଟଙ୍କା ବୃଦ୍ଧି କରାଯାଇଥିବାବେଳେ ପ୍ରିମିୟମ୍ ଆଲକୋହଲ ବୋଟଲର ଦାମ୍ ୫୦ ଟଙ୍କା ବଢ଼ିଛି । ଯୋଗୀ ଆଦିତ୍ୟନାଥ ସରକାରଙ୍କ ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି, ସୋମବାର ୧୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ରାଜ୍ୟରେ ଲୋକେ ବର୍ତ୍ତମାନ ହାରାହାରି ୭୦ରୁ ୮୦ କୋଟି ଟଙ୍କାର ମଦ ପିଉଛନ୍ତି । ଅନ୍ୟପକ୍ଷେ ଛତିଶଗଡ଼ର ଭୂପେଶ ବାଘେଲ ସରକାର ମଦ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢ଼ାଇ ନାହାନ୍ତି । ତେବେ ଗ୍ରୀନ୍ ଜୋନ୍‌ରେ ଲୋକଙ୍କ ଘରେ ମଦ ପହଂଚାଇବା ପାଇଁ ଏକ ନୂଆ ପୋର୍ଟାଲ ଖୋଲିଛନ୍ତି । କଂଗ୍ରେସ ଶାସିତ ପଞ୍ଜାବରେ ମଧ୍ୟ ଅନ୍‌ଲାଇନ୍ ଓ ହୋମ ଡେଲିଭରି ପାଇଁ ଯୋଜନା ଚାଲିଛି । ଇତିମଧ୍ୟରେ ହରିୟାଣାର ମନୋହର ଲାଲ୍ ଖଟ୍ଟର ସରକାର ବୁଧବାରଠାରୁ ମଦ ଉପରେ କରୋନା ସେସ୍ ଲଗାଇଛନ୍ତି । ସେଠାରେ ଆଇଏମ୍‌ଏଫ୍‌ଏଲ୍ ୫୦ ଟଙ୍କା ମହଙ୍ଗା ହୋଇଥିବାବେଳେ ତା’ ଉପରେ ବ୍ରାଣ୍ଡ ଅନୁସାରେ ୨ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଏହି ସେସ୍ ଲାଗୁ ହୋଇଛି । ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ ସରକାର ମଧ୍ୟ ଖୁବ୍‌ଶୀଘ୍ର ଲିକର ଉପରେ ଏକ ‘ସ୍ପେସାଲ କରୋନା ଚାର୍ଜ’ ଘୋଷଣା କରିବାକୁ ଯାଉଛନ୍ତି ।

ଲକ୍‌ଡାଉନ୍ ଯୋଗୁ ରାଜ୍ୟଗୁଡ଼ିକ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ମଦ ବିକ୍ରି କରି ଅର୍ଥ ଆଦାୟ କରିବା ସେମାନଙ୍କ ପାଇଁ ଏକ ବଡ଼ ଉତ୍ସ ପାଲଟିଛି । ଏଥିଲାଗି ସରକାରମାନେ ଅବକାରୀ ଟିକସ ଉପରେ ନଜର ପକାଇଛନ୍ତି । ମଦର ମୂଲ୍ୟରେ ନିଆଁ ଲାଗିଥିଲେ ବି ବିହାର, ଗୁଜରାଟ, ମଣିପୁର ଓ ନାଗାଲାଣ୍ଡ ଏବଂ କେନ୍ଦ୍ରଶାସିତ ଅଂଚଳ ଲକ୍ଷାଦ୍ୱୀପକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟର ମଦ ଦୋକାନଗୁଡ଼ିକରେ ମଦ୍ୟପଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ଇଣ୍ଡିଆନ୍ ରେଟିଙ୍ଗ୍‌ସ ଆଣ୍ଡ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ୧୫ଟି ରାଜ୍ୟର ମୋଟ ଆୟର ୧୦% ପେଟ୍ରୋଲ, ଡିଜେଲ ଓ ଜେଟ୍ ଫୁଏଲ୍‌, ଷ୍ଟାମ୍ପ୍‌, ରେଜିଷ୍ଟ୍ରେଶନ ଏବଂ ଇଲେକ୍ଟ୍ରିସିଟି ଉପରେ ରାଜ୍ୟ ସାମଗ୍ରୀ ଓ ସେବା କର (ଏସ୍‌ଜିଏସ୍‌ଟି), ମୂଲ୍ୟଯୁକ୍ତ କର (ଭିଏଟି)/ବିକ୍ରି କରରୁ ଆସିଥାଏ । କର୍ନାଟକ ଓ ରାଜସ୍ଥାନ ସମେତ ୫ଟି ରାଜ୍ୟର ରାଜକୋଷକୁ ଆସୁଥିବା ମୋଟ ଟିକସର ୨୦%ରୁ ଊର୍ଦ୍ଧ୍ୱ ହେଉଛି ମଦର ଅବଦାନ । ସେହିପରି ଉତ୍ତର ପ୍ରଦେଶ, ପଞ୍ଜାବ ଓ ମଧ୍ୟପ୍ରଦେଶ ଭଳି ୭ଟି ରାଜ୍ୟକୁ ଆଲ୍‌କୋହଲ ବିକ୍ରିରୁ ୧୫-୨୦% ରାଜସ୍ୱ ମିଳିଥାଏ । ଆନ୍ଧ୍ର ଏବଂ ଓଡ଼ିଶା ସମେତ ୩ଟି ରାଜ୍ୟର ରାଜକୋଷକୁ ଆସୁଥିବା ରାଜସ୍ୱର ୧୦-୧୫% ମଦରୁ ମିଳିଥାଏ । 

ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟଗୁଡ଼ିକ ଦୈନିକ ପ୍ରାୟ ୭୦୦ କୋଟି ଟଙ୍କା ମଦ ବିକ୍ରିରୁ ପାଇଥାନ୍ତି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ବେଳେ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଥିଲା । ହେଲେ ବେଆଇନ ମଦ କାରବାରକୁ ରୋକିବା ଓ ରାଜସ୍ୱ ଆଦାୟ କରିବା ଲାଗି ଅନେକ ରାଜ୍ୟ ଏହି କଟକଣା ହଟାଇବା ପାଇଁ ଦାବି କରିଥିଲେ । ତେଣୁ କେନ୍ଦ୍ର ସରକାର କେତେକ ସର୍ତ୍ତ ସହ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି । ସର୍ତ୍ତ ଅନୁସାରେ କୌଣସି ମଦ ଦୋକାନରେ ୫ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏକକାଳୀନ ଅନୁମତି ଦିଆଯିବ ନାହିଁ । ସମସ୍ତ କ୍ରେତା ସୋସିଆଲ ଡିଷ୍ଟାନ୍ସିଂକୁ କଡ଼ାକଡ଼ି ଭାବେ ପାଳନ କରିବେ । ତେବେ ରାଜ୍ୟ ସରକାରମାନେ ଏହି ଗାଇଡ୍‌ଲାଇନ୍ ଅନୁସାରେ ଅନୁମତି ଦେଇଥିଲେ ହେଁ କ୍ୱଚିତ ମଦ ଦୋକାନରେ ଉପରୋକ୍ତ ନିୟମର ଅନୁପାଳନ ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଦିଲ୍ଲୀର ଚନ୍ଦର ନଗରସ୍ଥିତ ଏକ ମଦ ଦୋକାନ ଆଗରେ ମଙ୍ଗଳବାର ଭିଡ଼ ଜମାଇଥିବା ଲୋକଙ୍କ ଉପରେ ଜଣେ ବ୍ୟକ୍ତି ପୁଷ୍ପ ବୃଷ୍ଟି କରିଛନ୍ତି। ତୁମେ ଏପରି କାହିଁକି କରୁଛ ବୋଲି ଜଣେ ତାଙ୍କୁ ପଚାରିବାରୁ ସରକାରଙ୍କ ପାଖରେ ଟଙ୍କା ନାହିଁ । ଆପଣମାନେ ହିଁ ଆମ ଅର୍ଥନୀତିକୁ ତିଷ୍ଠାଇ ରଖିଛନ୍ତି ବୋଲି କହିବା ସହ ସେ ସେମାନଙ୍କୁ ନିଆରା ଢଙ୍ଗରେ ସମ୍ମାନ ଜଣାଇଛନ୍ତି

Leave a comment