Odisha News Insight

ପୂର୍ବତନ ବିଧାୟକଙ୍କ ଗାଡିକୁ ଗୁଳି ମାଡ

ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁରଙ୍କ ଗାଡି ଉପରକୁ ଗୁଳିମାଡ ହୋଇଛି । ସେ କୌଣସି କାମରେ ଏଫସିଆଇ ଚିତ୍ରକୂଟରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ବଲେରୋ ଗାଡି ଉପରକୁ ଦୁର୍ବୃତମାନେ ଗୁଳିମାଡ କରିଛନ୍ତି । ସେ ଗୁଳିମାଡରେ ତାଙ୍କ ଗାଡିର ପଛ କାଚ ଭାଙ୍ଗି ଯାଇଛି । ଏନେଇ ସେ ଫୁଲବାଣୀ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ସ୍ଥାନୀୟ ଲୋକେ ଗୁଳିମାଡ କରିଥିବା ଯୁବକଙ୍କୁ କାବୁକରି ପୁଲିସ ଜିମା ଦେଇଛନ୍ତି । ସଂପୃକ୍ତ ଯୁବକଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି କରାଯାଇଥିବା ସନ୍ଦେହ କରାଯାଉଛି ।

ଉଲ୍ଲେଖଥାଉ କି, ୨୦୧୮ ଅକ୍ଟୋବର ୯ ତାରିଖରେ କନ୍ଧମାଳ ପୁଲିସ ଦ୍ୱାରା ସେ ଆନ୍ଧପ୍ରଦେଶରୁ ଗିରଫ ହୋଇଥିଲେ । ଜଣେ ମହିଳାଙ୍କୁ ଅସଦାଚରଣ କରିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସେ ଜଣେ ମହିଳାଙ୍କୁ ଯୌନ ନିର‌୍ୟାତନା ଦେଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ସାମ୍ନାକୁ ଆସିବେ ପରେ ପୀଡିତା ସାଧର ପୁଲିସ ଷ୍ଟେସନରେ କଅଁରଙ୍କ ବିରୋଧରେ ଅଭିଯୋଗକରିଥିଲେ । ସେ ଅଭିଯୋଗରେ ଦର୍ଶାଇଥିଲେ, ପୂର୍ବତନ ବିଧାୟକ ତଥା ତାଙ୍କ ସହଯୋଗୀ ରିଙ୍କୁ ସାହୁ ତାଙ୍କ ଘରେ ପଶି ତାଙ୍କ ସହ ଅସଦାଚରଣ କରିଥିଲେ।

ଯେତେବେଳେ ସେ ତାଙ୍କ ସହ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ, ଏମାନେ ତାଙ୍କ ମା ଙ୍କୁ ଥଟ୍ଟା କରିଥିବା ଅଭିଯୋଗ ହୋଇଛି। ଏଥିସହିତ ଦେବେନ୍ଦ୍ରଙ୍କ ଏକାଧିକ ଝିଅଙ୍କ ସହ ସମ୍ପର୍କ ରହିଛି ଏବଂ ସେମାନଙ୍କୁ ବ୍ଲାକମେଲିଂ କରିଆସୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଦଫା ୩୫୪, ୩୭୦, ୩୨୩, ୨୯୪ ଓ ୪୫୧ରେ ମାମଲା ରୁଜୁ ହୋଇଥିଲା । ତେବେ ଉକ୍ତ ଘଟଣାକୁ ନେଇ ଏଭଳି ଗୁଳିମାଡ ହୋଇଥିବା ଚର୍ଚ୍ଚା ହେଉଛି ।

Leave a comment