Odisha News Insight

ଉପସାଗରୀୟ ଅଞ୍ଚଳରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ୩ଟି ଜାହାଜ ପଠାଇବ ଭାରତ

ଉପସାଗରୀୟ ଅଞ୍ଚଳରେ ଥିବା ଭାରତୀୟ ମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ୩ଟି ଜାହାଜ ପଠାଇବାକୁ ବିଚାର କରୁଛନ୍ତି । ଭାରତୀୟ ନୌସେନାର ଏହି ୩ଟି ଜାହାଜ ମଧ୍ୟରେ ରହିଛି ଆଇଏନଏସ ଜଳାଶ୍ୱ ଓ ଅନ୍ୟ ୨ଟି ଛୋଟ ଜାହାଜ ।

ଆଇଏନଏସ ଜଳାଶ୍ୱ ଏକ ବୃହତ ଏଲପିଡି ବା ଲାଣ୍ଡିଂ ପ୍ଲାଟଫର୍ମ ଡକ ଜାହାଜ ଓ ଏଥିରେ ୧ ହଜାରରୁ ଅଧିକ ଲୋକଙ୍କୁ ଅଣାଯାଇପାରିବ । ତେବେ ସୋସିଆଲ ଡିଷ୍ଟାନ୍ସିଂ ବଜାୟ ରଖି ଏଥିରେ ପ୍ରାୟ୮୫୦ ଲୋକଙ୍କୁ ଅଣାଯାଇପାରିବ । ଅନ୍ୟଦୁଇଟି ଜାହାଜରେ କିଛି ଶହ ଲୋକଙ୍କୁ ଅଣାଯାଇପାରିବ । ଏହାଛଡ଼ା ଲୋକମାନଙ୍କୁ ଆଣିବାକୁ ବିମାନ ପଠାଇବାକୁ ମଧ୍ୟ ସରକାର ବିଚାର କରୁଛନ୍ତି ।

ଏସବୁ ଜାହାଜ ଖୁବଶୀଘ୍ର ଉପସାଗରୀୟ ଦେଶମାନଙ୍କୁ ଯାଇ ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବ । ଉପସାଗରୀୟ ଦେଶରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଭାରତୀୟ ରହୁଛନ୍ତି ଓ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ତେବେ ଇରାନ,ସାଉଦିଆରବ ପ୍ରଭୃତି ଉପସାଗରୀୟ ଦେଶରେ କରୋନା ମହାମାରୀ ବ୍ୟାପିଥିବାରୁ ସେଠାରେ ଥିବା ଭାରତୀୟମାନେ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ତେବେ ସରକାରୀ ଯୋଜନା ଅନୁସାରେ ଯେଉଁମାନେ ଆସିବାକୁ ଚାହିଁବେ କେବଳ ସେମାନଙ୍କୁ ହିଁ ଅଣାଯିବ ।

Leave a comment