Odisha News Insight

ମିଛ ଖବର ପାଇଁ ଗିରଫ ହେଲେ ସାମ୍ବାଦିକ

ଯାଜପୁର: ମିଛ ଖବର ପ୍ରକାଶ କରିବା ଅଭିଯୋଗରେ ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ପ୍ରତିନିଧି ଚନ୍ଦ୍ରଶେଖର ସାହୁଙ୍କୁ ଗିରଫ କରିଛି ଜିଲ୍ଲା ପୁଲିସ। ଆଜି ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ରଂଜନ କୁମାର ଦାସ। ଭୁଲ ତଥ୍ୟ ପ୍ରଚାର କରିବା ଅଭିଯୋଗରେ ଦଶରଥପୁର ‘ସମ୍ବାଦ’ ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଓ ଏହି ଖବରକୁ ହ୍ବାଟ୍ସଆପରେ ପ୍ରଚାର କରିଥିବା କାହ୍ନୁ ଓଝାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ଯାଜପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପଳ ଶ୍ରୀ ଦାସ।

ଗତକାଲି ‘ସମ୍ବାଦ’ର ସ୍ଥାନୀୟ ସଂସ୍କରଣରେ କରୋନା କଟକଣା ସମୟରେ ପଞ୍ଚାୟତରେ ରିଲିଫ୍ ଅର୍ଥ ହେରଫେର ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟଟି ଭିତ୍ତିହୀନ ଓ ମିଥ୍ୟା ତଥ୍ୟ ସମ୍ବଳିତ ବୋଲି ଜିଲ୍ଲାପାଳ କହିଛନ୍ତି। ଏ ନେଇ ରାଜ୍ୟର ସ୍ବତନ୍ତ୍ର ରିଲିଫ୍‌ କମିଶନର୍‌ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ମଙ୍ଗଳପୁର ଥାନା ଅଧିକାରୀ ଅସିତ ମହାନ୍ତି ONI ଙ୍କୁ ଗିରଫ ବାବଦରେ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସାମ୍ବାଦିକ ଶ୍ରୀ ସାହୁଙ୍କୁ ଗିରଫ ଆଜି ଅପରାହ୍ନରେ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ କାହ୍ନୁ ଓଝାଙ୍କୁ ଏଯାଏଁ ଧରା ହୋଇ ନଥିବା କହିଛନ୍ତି ଥାନାଧିକାରୀ।

Leave a comment