Odisha News Insight

ପିପିଇ ପିନ୍ଧି ସାମ୍ବାଦିକ କଲେ ଶବଦାହ!

ମାଲ ଭାଇ ସାଜିଲେ ସାମ୍ବାଦିକ। ସାହି ପଡ଼ୋଶୀ, ବନ୍ଧୁ ପରିଜନ, ଆତ୍ମୀୟ ସୃଜନ ଯାହା କରି ପାରିଲେନି ତାହା କରି ଦେଖାଇଲେ ଏହି ୪ ସାମ୍ବାଦିକ। ପିପିଇ ପିନ୍ଧିଲେ ଆଉ ମୃତଦେହକୁ ଅନ୍ତିମ ବିଦାୟ ଦେଲେ।

ଗଞ୍ଜାମ ଶେରଗଡ଼ ବଡ଼ଦାଣ୍ଡ ସାହିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ପାଢୀଙ୍କ ଗତକାଲି ମୃତ୍ୟୁ ହୋଇଥିଲା। ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ଅବସ୍ଥାରେ ପିତମ୍ବର ଶେଷ ନିଃଶ୍ୱାସ ତ୍ୟାଗ କଲେ। ହେଲେ ଗାଁ ଲୋକେ ନା ତାଙ୍କ ଘରକୁ ଆସିଲେ ନା ଆ ହା ପଦେ କହିଲେ। କରୋନା ଭୟ ଏତେ ଯେ କେହି ବି ସାହସ କଲେନି ପିତାମ୍ବରଙ୍କ ମର ଶରୀରକୁ ଛୁଇଁବାକୁ। ଯିଏ ଜୀବନ ସାରା ଅନ୍ୟକୁ ନୈତିକତା, ମାନବିକତାର ପାଠ ପଢ଼ାଉଥିଲେ ଆଜି କରୋନା ଯୋଗୁଁ ସେ ପାଲଟି ଯାଇଥିଲେ ଅଛୁଆଁ। ଏପରିକି ସମ୍ପର୍କୀୟ ବି ଆସିପାରିଲେନି।

ହେଲେ ଏ ଖବର ଶୁଣି ନିକଟରେ ଥିବା କିଛି ସାମ୍ବାଦିକ ତୁରନ୍ତ ପହଞ୍ଚିଥିଲେ । ପିତାମ୍ବରଙ୍କ ଶବକୁ ଉଠାଇବା ପୂର୍ବରୁ ପିପିଇ ପିନ୍ଧିଥିଲେ। ମୃତଦେହକୁ ବ୍ରହ୍ମପୁର ଆଣିବା ସହ ସତ୍କାର ବି କରିଥିଲେ। ଯେତେବେଳେ ସାରା ଦୁନିଆ ବଇରୀ ସାଜିଥିଲା ସେତେବେଳେ ପିତାମ୍ବରଙ୍କ ପରିବାର ପାଇଁ ଦେଵଦୂତ ସାଜିଥିଲେ ସାମ୍ବାଦିକ ମେଘନାଦ ଦାସ, ଶଙ୍କର ପ୍ରଧାନ, ବାଲାଜୀ ପ୍ରଧାନ ଏବଂ ଅଜିତ୍ ପଣ୍ଡା। ଖାଲି ଗଞ୍ଜାମ କାହିଁକି ସାରା ଓଡ଼ିଶାରୁ ଏବେ ଏହି ୪ ସାମ୍ବାଦିକଙ୍କ ପାଇଁ ଛୁଟୁଛି ପ୍ରଶଂସା, ସାଧୁବାଦ୍ ।

କରୋନା ଦ୍ଵାରା ସବୁଠୁ ଅଧିକ ପ୍ରଭାବିତ ହେଇଛି ଗଞ୍ଜାମ। ପ୍ରତିଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାର ରେକର୍ଡ ଏବେ ପ୍ରଶାସନ ପାଇଁ ଚାଲେଞ୍ଜ ପାଲଟିଛି। ତେବେ ଏହି ସମୟରେ ଏଭଳି ଘଟଣା ଆମ ସମାଜ ପାଇଁ ପ୍ରଶ୍ନବାଚୀ ସଦୃଶ୍ୟ ।

Leave a comment