Odisha News Insight

ତାଳି, ଦୀପ ଜାଳିଲେ ସମସ୍ୟାର ସମାଧାନ ହେବ ନାହିଁ: ରାହୁଲ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନନେଇ କଟାକ୍ଷ କରି କହିଛନ୍ତି ଯେ, ଦେଶରେ କୋଭିଡ-୧୯ ପରୀକ୍ଷା ବହୁତ କମ୍ ହେଉଛି। ଲୋକମାନଙ୍କ ଦ୍ବାରା ଥାଳି, ତାଳି ଓ ଦୀପ ଜାଳିଲେ ଏଭଳି ସମସ୍ୟାର ସମାଧାନ ହେବ ନାହିଁ।

ସୂଚନାଥାଉକି, ଏପ୍ରିଲ ୫ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଲାଇଟ୍ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ କିମ୍ୱା ମୋବାଇଲ୍ ଫ୍ଲାସ ଲାଇଟ୍ ଅନ୍ କରିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପରି କରିବା ଦ୍ୱାରା ଆଲୋକର ମହାଶକ୍ତିକୁ ଅନୁଭବ ହେବ ଯେ, କରୋନା ବିରୋଧରେ ଆମେ ସମସ୍ତେ ଏକଜୁଟ୍ ହୋଇ ଲଢୁଛେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।

କଂଗ୍ରେସ ମଧ୍ୟ ଟୁଇଟ କରି କହିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଭାରତ ପ୍ରତି ୧୦ ଲକ୍ଷରେ ମାତ୍ର ୨୯ ଜଣଙ୍କୁ ପରୀକ୍ଷା କରୁଛି। ପାକିସ୍ତାନ ପ୍ରତି ୧୦ ଲକ୍ଷରେ ୬୭ ଜଣ, ଶ୍ରୀଲଙ୍କା ୯୭, ବ୍ରିଟେନ ୧,୮୯୧, ଜର୍ମାନୀ ୫,୮୧୨, ଇଟାଲୀ ୭,୧୨୨ ଏବଂ ଦକ୍ଷିଣ କୋରିଆ ପ୍ରତି ୭,୬୨୨ ଲୋକଙ୍କୁ ପରୀକ୍ଷା କରୁଛି।

ସୂଚନାଯୋଗ୍ୟ, ଭାରତରେ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭୨କୁ ବୃଦ୍ଧି ପାଇଥିବାବେଳେ ୭୫ ଜଣଙ୍କର ମୃତ୍ୟୁ ଘଟିଛି।

Leave a comment