Odisha News Insight

ଲକଡାଉନ ଅବଧି ବୃଦ୍ଧି ସପକ୍ଷରେ ଓଡ଼ିଶା

 ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଚତୁର୍ଥ ଥର ଲାଗି ଆଲୋଚନା କରିଛନ୍ତି ।

ଆଲୋଚନା ବେଳେ ଲକଡାଉନ ବଢାଇବା ସପକ୍ଷରେ ଓଡ଼ିଶା ସମେତ ପ୍ରାୟ ସମସ୍ତ ରାଜ୍ୟ ମତ ଦେଇଛନ୍ତି । ହେଲେ ଦୁଇଟି ରାଜ୍ୟ ଲକଡାଉନ ବିପକ୍ଷରେ ଅଛନ୍ତି । ତେଣୁ ୩ ତାରିଖ ପରେ ଲକଡାଉନ ବଢିବ ନାଁ ନାହିଁ, ସେ ନେଇ ଅନିଶ୍ଚିତା ଦେଖା ଦେଇଛି ।

ଦେଶରେ କରୋନା ମୁକାବିଲା ନେଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ଦିନରେ କରୋନା ସହ କିଭଳି ସଫଳ ମୁକାବିଲା କରାଯାଇପାରିବ ସେନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏହି ଆଲୋଚନରେ ଭାଗ ନେଇଥିଲେ । ଏହି ଭିଡିଓ କନ୍ଫରେନ୍ସିଂରେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶର ପ୍ରାୟତଃ ସବୁ ରାଜ୍ୟ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି, ଲକ୍ଡାଉନ୍ ଯୋଗୁଁ ଦେଶକୁ ଅନେକ ଫାଇଦା ମିଳିଛି ।

ଏହି କାରଣରୁ କରୋନା ସଂକ୍ରମଣକୁ କମ୍ କରାଯାଇପାରିଛି । ସମସ୍ତଙ୍କ ସହଯୋଗ ଯୋଗୁଁ ଏହା ସଫଳ ହୋଇଛି । ତେବେ ଓଡ଼ିଶା କ’ଣ ଦାବି ରଖିଛି, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ଓଡ଼ିଶା ଲକଡାଉନକୁ ପୂର୍ଣ୍ଣ ସହମତି ପ୍ରଦାନ କରିବା ସହ ଆଉ ଏକମାସ ଲକଡାଉନ ବଢାଇବା ସପକ୍ଷରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନିବକିଶୋର ଦାସ ଗଣମାଧ୍ୟମକୁ କହିଛନ୍ତି । କାରଣ ଏହି ରୋଗକୁ ମୁକାବିଲା କରିବା ପାଇଁ ଏକମାତ୍ର ବିକଳ୍ପ ହେଉଛି ସାମାଜିକ ଦୂରତା ବଜାର ରଖିବା । ତେଣୁ ଲକଡାଉନ ହିଁ ସମାଜିକ ଦୂରତା ରକ୍ଷାର ଏକମାତ୍ର ପନ୍ଥା । ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟ ଲକଡାଉନ ଅବଧିକୁ ଆହୁରି ବୃଦ୍ଧି କରିପାରେ ।

ତେବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨୮ ହଜାରରେ ପହଞ୍ଚି ସାରିଲାଣି । ସ୍ୱାସ୍ଥ୍ୟମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ୨୭୮୯୨ ରହିଛି । ଅନ୍ୟପଟେ ଏବେ ସୁଦ୍ଧା ୮୭୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ସେହିଭଳି ମୋଟ ୬୧୮୫ ଜଣ ଆକ୍ରାନ୍ତ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ଭିଜୟନ୍ ରାଜ୍ୟରେ କରୋନା ସ୍ଥିତି କିଭଳି ରହିଛି, ଏବଂ କରୋନାକୁ ନେଇ ନିଜର ପରାମର୍ଶ ଚିଠି ମଧ୍ୟମରେ ଲେଖି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । କୌଣସି କାରଣ ବସତଃ ସେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇପାରିନାହାନ୍ତି ।

Leave a comment