Odisha News Insight

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ

ରେଲୱେ ସେବା ପାଇଁ ଏସ୍‌ଓପି ଜାରି 
କରୋନା ଭାଇରସ୍‌ର ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍ ଯୋଗୁ ଗତ ମାର୍ଚ୍ଚ ୨୫ରୁ ରେଳ ସେବା ବନ୍ଦ ରହିବା ପରେ ମଙ୍ଗଳବାର ସାରା ଦେଶରେ ୩୦ଟି ସ୍ୱତନ୍ତ୍ର ଟ୍ରେନ୍ (ଅପ୍ ଆଣ୍ଡ ଡାଉନ୍‌) ଚଳାଚଳ ଆରମ୍ଭ କରୁଛି । ଜାତୀୟ ରାଜଧାନୀ ଦିଲ୍ଲୀରୁ ଦେଶର ବିଭିନ୍ନ ଭାଗକୁ ୧୫ଟି ଟ୍ରେନ୍ ଚାଲିବ ଓ ଉକ୍ତ ସହରଗୁଡ଼ିକରୁ ୧୫ଟି ଟ୍ରେନ୍ ଦିଲ୍ଲୀକୁ ଫେରିବ । ଏହି ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସ୍ୱତନ୍ତ୍ର ରେଲୱେ ସର୍ଭିସ୍ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସ୍‌ଓପି) ଜାରି କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ଯାତ୍ରୀମାନେ ଟ୍ରେନ୍ ଛାଡ଼ିବାର ଅନ୍ୟୂନ ୯୦ ମିନିଟ ପୂର୍ବରୁ ଷ୍ଟେଶନରେ ପହଂଚିବେ । ଥର୍ମାଲ ସ୍କ୍ରିନିଂ ପରେ ଯେଉଁ ଯାତ୍ରୀଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ନାହିଁ ବୋଲି ଜଣାପଡ଼ିବ ଓ ସାଙ୍ଗରେ ଟିକେଟ ନେଇ ଆସିଥିବେ, କେବଳ ସେମାନଙ୍କୁ ହିଁ ଯାତ୍ରା ଅନୁମତି ମିଳିବ । ଟ୍ରେନ୍‌ଗୁଡ଼ିକରେ ଜେନେରାଲ ବଗି ରହିବ ନାହିଁ । କେବଳ ଏସି କୋଚ୍ ରହିବ ।ଟ୍ରେନ୍‌ରେ ଚଢ଼ିବା ବେଳେ ଓ ଯାତ୍ରା ବେଳେ ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ଏବଂ ସୋସିଆଲ୍ ଡିଷ୍ଟାନ୍ସିଂ ବଜାୟ ରଖିବା ବାଧ୍ୟତାମୂଳକ । ଟ୍ରେନ୍‌ରେ କାହାକୁ ବ୍ଲାଙ୍କେଟ, କର୍ଟେନ ଅଦି ଦିଆଯିବ ନାହିଁ । ତେଣୁ ଏସବୁ ସହ ଖାଦ୍ୟ ଓ ପିଇବା ପାଣି ମଧ୍ୟ ଯାତ୍ରୀ ନିଜେ ନେଇ ଟ୍ରେନ୍‌ରେ ଚଢ଼ିବେ । ତେବେ ଯାତ୍ରୀ ପଇସା ଦେଲେ ସେମାନଙ୍କୁ ଡ୍ରାଏ ଫୁଡ୍ ଓ ପାଣି ବୋତଲ ଯୋଗାଇ ଦିଆଯିବ । ସୀମିତ ଷ୍ଟପେଜ୍ ରହିବ । ଯାତ୍ରା ବେଳେ କୌଣସି ଷ୍ଟେଶନରେ ଫୁଡ୍ ଷ୍ଟଲ୍ ଖୋଲା ରହିବ ନାହିଁ । ସେହିପରି ଟ୍ରେନ୍ ଭିତରେ ମଧ୍ୟ ଖାଦ୍ୟ ପାନୀୟ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଯାତ୍ରୀମାନଙ୍କୁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି । ଯାତ୍ର୍ରୀ ଯେଉଁ ରାଜ୍ୟକୁ ଯାଉଥିବେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ମଧ୍ୟ ପାଳନ କରିବାକୁ ପଡ଼ିବ । କେବଳ ଆଇଆର୍‌ସିଟିସି ୱେବ୍‌ସାଇଟ ଜରିଆରେ ଅନ୍‌ଲାଇନ୍‌ରେ ଟିକେଟ ବୁକିଂ କରିପାରିବେ । ତତ୍କାଳ ଟିକେଟ ମିଳିବ ନାହିଁ । ସମସ୍ତ ରେଲୱେ ଷ୍ଟେଶନର ବୁକିଂ କାଉଣ୍ଟର ବନ୍ଦ ରହିବ । ଯାତ୍ରା ବାତିଲ କରିବାକୁ ଚାହିଁଲେ ଟିକେଟ ମୂଲ୍ୟର ୫୦% କ୍ୟାନସେଲେଶନ ଚାର୍ଜ ପଡ଼ିବ । ନୂଆଦିଲ୍ଲୀ ରେଲୱେ ଷ୍ଟେଶନରୁ ଯେଉଁ ୧୫ଟି ଗନ୍ତବ୍ୟସ୍ଥଳକୁ ଟ୍ରେନ୍ ଗଡ଼ିବ ସେଗୁଡ଼ିକ ହେଲା ଦିବ୍ରୁଗଡ଼, ଅଗରତାଲା, ହାଓଡା, ପାଟନା, ବିଳାସପୁର, ରାଂଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭାନନ୍ଥପୁରମ୍‌, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଓ ଜମ୍ମୁ ତାୱି । ମେ ୧ରେ ଆରମ୍ଭ ହୋଇଥିବା ଦାଦନଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରମିକ ସ୍ପେସାଲ ଟ୍ରେନ୍ ବାଦ୍ ଅତିରିକ୍ତ ଭାବେ ଏହି ଟ୍ରେନ୍‌ଗୁଡ଼ିକ ଚାଲିବ ।

Leave a comment