Odisha News Insight

ହରଡ଼ଘଣାରେ ବଡ଼ଚଣା ଥାନା ଅଧିକାରୀ

ସରକାରଙ୍କ ସବୁ ନିୟମ କଟକଣାକୁ ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ଇନସ୍ପେକ୍ଟର ଦୀପକ ଜେନା ଫୁ’ କରିଦେଇଛନ୍ତି । କଟକଣା ସତ୍ୱେ ସେ ନିଜର କ୍ଷମତାର ଅପବ୍ୟହାର କରି ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ତଳିଆ କର୍ମଚାରୀଙ୍କୁ ନାଲି ଆଖି ଦେଖାଇ ପୁଲିସ ବାବୁ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୂଙ୍କ ଦର୍ଶନ କରିଥିବା ଜଣାପଡିଛି । ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ପରେ ଥାନା ଅଧିକାରୀ ଜଣକ ହରଡଘଣାରେ ପଡିଯାଇଛନ୍ତି ।

ସୂଚନା ଅନୁସାରେ, ରବିବାର ବଡଚଣା ଥାନା ଅଧିକାରୀ ପରିବାର ସହ ପୁରୀ ଯାଇଥିଲେ । ସନ୍ଧ୍ୟାରେ ସେ ପରିବାର ୪ଜଣ (ପତ୍ନୀ ଓ ଦୁଇଝିଅ) ଶ୍ରୀମନ୍ଦିରର ଦକ୍ଷୀଣଦ୍ୱାର ଦେଇ ଭିତରକୁ ପ୍ରବେଶ କରିଥିଲେ । ସାଙ୍ଗରେ ଜଣେ ସେବାୟତ ମଧ୍ୟ ଥିଲେ । ସେଠାରେ ଡ୍ୟୁଟି କରୁଥିବା ହାବିଲଦାର ତାଙ୍କୁ ମନ୍ଦିରକୁ ନଯିବାକୁ ବାରଣ କରିଥିଲେ । ହେଲେ ସେ ନିଜ କ୍ଷମତାର ଅପବ୍ୟବହାର କରିବା ସହ ତାଙ୍କୁ ନାଲି ଆଖି ଦେଖାଇ ଜୋରଜବରଦସ୍ତ ମନ୍ଦିରକୁ ଯାଇଥିଲେ । ଏନେଇ ହାବିଲଦାର ଥାନାରେ ଏତଲା ଦେବା ପରେ ପୁଲିସ ଏକ ଆଇପିସିର ଦଫା ୪୪୮, ସଂକ୍ରମଣ ରୋଗ ନିୟନ୍ତ୍ରକ ଆଇନର ଧାରା ୩ ଓ ପ୍ରାକୃତିକ ବିପର୍ଯ୍ୟୟ ଆଇନର ୫୧ (ବି)ରେ ମାମଲା ରୁଜୁ ଘଟଣାର ତଦନ୍ତ କରୁଛି । ପୁଲିସ କହିଛି, ଅଭିଯୋଗ ହେବାପରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅପରପକ୍ଷରେ ଥାନା ଅଧିକାରୀ ଜଣକ ଯାଜପୁର ଜିଲ୍ଲାର ଜଣେ ରାଜନେତାଙ୍କ ଛତ୍ରଛାୟା ତଳେ ରହିଥିବାରୁ ସେ ଏହାକୁ ହାଲକା ଭାବେ ଗ୍ରହଣ କରୁଥିବା ଜଣାପଡିଛି । ଘଟଣାକୁ ଯଥା ସମ୍ଭବ ରଫାଦଫା କରିବାକୁ ବିଭିନ୍ନ ମହଲରୁ ଚାପ ପକାଉଥିବା କୁହାଯାଉଛି । ଯଦି ଏହା ସତ ହୁଏ, ତେବେ ଥାନା ଅଧିକାରୀ ଜଣକ ଖସିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଗୃହମନ୍ତ୍ରୀ ଓ ପୁଲିସ ଡିଜି ଘଟଣାକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ଉଲ୍ଲେଖଥାଉ କି, କରୋନା ମହାମାରୀ କଟକଣା ଯୋଗୁଁ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ ରଖାଯାଇଛି । ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବଳ ସେବାୟତମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରିବାକୁ କୁହାଯାଇଛି । ହେଲେ ଥାନା ଅଧିକାରୀ ଜଣକ ସରକାରଙ୍କ ଏଭଳି ଆଇନକୁ ଭାଙ୍ଗି ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲ।

Leave a comment