Odisha News Insight

ରାଜ୍ୟ ବାହାରେ ଥିବା ଓଡ଼ିଆ ଆସିବାକୁ ଚାହୁଁଥିଲେ ପଞ୍ଜିକରଣ ବାଧ୍ୟତାମୂଳକ

ଶୁକ୍ରବାରଠୁ ସ୍ୱତନ୍ତ୍ର ୱେବସାଇଟରେ କରିହେବ ପଞ୍ଜିକରଣ

ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ବିନା ପଞ୍ଜିକରଣରେ ନିଜ ଘରକୁ ଫେରିପାରିବେ ନାହିଁ ଓ ଓଡ଼ିଶାକୁ ଫେରିବାପରେ ସେମାନଙ୍କୁ ନିଶ୍ଚିତ ଭାବେ ୧୪ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। କୋଭିଡ-୧୯ ପରିଚାଳନା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିଜ ପଞ୍ଚାୟତରେ କରୋନା ସଂକ୍ରମଣ କରାଇ ନଦେବା ନିମନ୍ତେ ସରପଞ୍ଚମାନଙ୍କୁ ଶପଥପାଠ କରାଇଛନ୍ତି। ପ୍ରାୟ ୫ଲକ୍ଷ ଲୋକ ଓଡ଼ିଶା ଫେରିବେ ବୋଲି ସରକାର ଆକଳନ କରିଛନ୍ତି।

ଆଜି ନିୟମିତ ବୁଲେଟିନରେ ରାଜ୍ୟ ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ କହିଛନ୍ତି ଯେ, ଲକଡାଉନ୍ ସରିବାପରେ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ନିଜନିଜ ଘରକୁ ଫେରିବା ପାଇଁ ବ୍ୟଗ୍ର ହୋଇ ରହିଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ ଏବେ ବିଭିନ୍ନ ରାଜ୍ୟ ପ୍ରାୟ ସାଢ଼େ ୭ଲକ୍ଷ ଓଡ଼ିଆ ଶ୍ରମିକ ଅଛନ୍ତି। ସେମାନଙ୍କ ପାଇଁ ସରକାର ଚିନ୍ତିତ ଓ ସମ୍ବେଦନଶୀଳ ଅଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ପରେ ସେମାନେ ଘରକୁ ଫେରିଲେ ସେମାନଙ୍କ ନିମନ୍ତେ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରପଞ୍ଚମାନଙ୍କ ସହ କଥା ହୋଇ ସେମାନଙ୍କୁ ତାଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ। ତେବେ ସରକାର ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ, ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ଘରକୁ ଫେରିବାକୁ ଚାହିଁଲେ ସେମାନଙ୍କୁ ନିଶ୍ଚିତ ଭାବେ ପଞ୍ଜିକରଣ କରିବାକୁ ପଡ଼ିବ। ସରକାର ଏଥିପାଇଁ ଏକ ୱେବପୋର୍ଟାଲ ତିଆରି କରିଛନ୍ତି ଯାହାକି ଆସନ୍ତା ଶୁକ୍ରବାର ବା ଏପ୍ରିଲ ୨୪ରୁ କାର୍ଯ୍ୟକ୍ଷମ ହେବ। ଏଥିରେ ୩ଟି ମାଧ୍ୟମରେ ପଞ୍ଜିକରଣ କରିହେବ।

ଓଡ଼ିଶା ଫେରିବାକୁ ଚାହୁଁଥିବା ବ୍ୟକ୍ତି ନିଜେ ଅବା ଅନ୍ୟ କୌଣସି ଲୋକଙ୍କ ମାଧ୍ୟମରେ କରିପାରିବ। ନଚେତ୍ ଘରେ ଥିବା ତାଙ୍କର ପରିବାର ସଦସ୍ୟ ଏକ ଫର୍ମ ପୂରଣ କରି ସେ ଯେଉଁ ଗାଁ ଅବା ସହରର ବାସିନ୍ଦା ହୋଇଥିବେ ସେହି ପଞ୍ଚାୟତ ଅବା ୱାର୍ଡ ଅଫିସରେ ଦାଖଲ କରିପାରିବେ। ପଞ୍ଜିକରଣ ହେଲେ କେଉଁ ରାଜ୍ୟରୁ କେତେ ଲୋକ କେଉଁଠିକି ଆସିବେ ତାହା ସରକାର ଜାଣିପାରିବେ ଓ ସେହି ଅନୁସାରେ ବ୍ୟବସ୍ଥା କରିପାରିବେ। ଏହି ଲୋକମାନଙ୍କର ଫେରିବାର ସମସ୍ତ ବ୍ୟବସ୍ଥା ସରକାର କରିବେ। ସେମାନେ ପଞ୍ଜିକରଣ କରିଥିଲେ ସେମାନଙ୍କୁ ରେଳ ଷ୍ଟେସନ ବା ବସଷ୍ଟାଣ୍ଡରୁ ନେବାପାଇଁ ବ୍ଲକ ଓ ପଞ୍ଚାୟତ ଦାୟିତ୍ୱରେ ଥିବା ଅଫିସରମାନେ ବସ୍ କିମ୍ବା ଅନ୍ୟ ଗାଡ଼ି ଆଣି ଆସିବେ। ସେଠାରୁ ସେମାନଙ୍କୁ ସିଧାସଳଖ ସେମାନଙ୍କ ପଞ୍ଚାୟତରେ ଥିବା ଅସ୍ଥାୟୀ କୋଭିଡ୍ ମେଡିକାଲ ଅବା କ୍ୱାରେଣ୍ଟାଇନ ସେଣ୍ଟରକୁ ନେବେ। ସେଠାରେ ସମ୍ପୃକ୍ତ ବ୍ୟକ୍ତି ୧୪ଦିନ ରହିବା ପରେ ଯଦି କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଦେଖାଦିଏ ତା’ହେଲେ ତାଙ୍କୁ ନିଜ ଘରକୁ ଯିବାକୁ ଅନୁମତି ମିଳିବ । କୌଣସି ପରିସ୍ଥିତିରେ ବି ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ସିଧାସଳଖ ନିଜ ଘରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ସେମାନଙ୍କ ରହିବା, ଖାଇବା, ଚିକିତ୍ସା ଆଦିର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ପଂଚାୟତରେ ଅସ୍ଥାୟୀ ଚିକିତ୍ସାଳୟ ଓ କ୍ୱାରେଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଜଣେ ଲେଖାଏ ନୋଡାଲ ଅଫିସର ରହିବେ।

ଏବେ ରାଜ୍ୟର ବିଭିମନ୍ନ ପଂଚାୟତରେ ପ୍ରାୟ ୭୦୦୦ହଜାର ଅସ୍ଥାୟୀ ଚିକିତ୍ସାଳୟ ହୋଇଛି ଓ ସେଥିରେ ୨ଲକ୍ଷ ବେଡ୍ ସୁବିଧା ରହିଛି। ମାତ୍ର ଓଡ଼ିଶାକୁ ପ୍ରାୟ ୫ଲକ୍ଷ ଲୋକ ଫେରିବାର ଥିବାରୁ ଏଥିପାଇଁ ସରକାର ଆବଶ୍ୟକତା ଅନୁସାରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ପଦକ୍ଷେପ ନେଉଛନ୍ତି। କ୍ୱାରେଣ୍ଟାଇନରେ ରହିବାବେଳେ ଯଦି କାହାରି ଦେହରେ କିଛି ଲକ୍ଷଣ ଦେଖାଦେଲା ତାଙ୍କୁ ନିକଟସ୍ଥ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି।

Leave a comment