Odisha News Insight

ତାବ୍ଲିଘି ମୁଖ୍ୟଙ୍କୁ ଠାବ କଲା ପୁଲିସ, କ୍ବାରାଣ୍ଟିନ୍‌ ପରେ ଗିରଫ

ତାବ୍ଲିଘି ଜମାତ୍‌ ମର୍କାଜା ଆୟୋଜନର ମୁଖ୍ୟ ମୁଖ୍ୟ କୁହାଯାଉଥିବା ମୌଲାମ ମହମ୍ମଦ ସାଦ୍‌ଙ୍କ ସନ୍ଧାନ ପାଇଛି ଦିଲ୍ଲୀ ପୁଲିସ। ମୌଲାନା ଏବେ ସଙ୍ଗରୋଧରେ ଥିବା ବେଳେ ଏହି ଅବଧି ଶେଷହେଲେ ତାଙ୍କୁ ପଚରାଉଚରା ପାଇଁ ଅଣାଯିବ। ଲକ୍‌ଡାଉନ୍‌ ନିୟମ ଅମାନ୍ୟ କରି ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ଏକାଠି ରଖି ସେମାନଙ୍କ ଜୀବନ ପ୍ରତି ବିପଦ ଆଣିଥିବା ଅଭିଯୋଗରେ ମୌଲାନାଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ।

ନିଜାମୁଦ୍ଦିନ୍‌ ଦରଘାରୁ ଫେରାର୍‌ ହେବା ପରେ ଦିଲ୍ଲୀର ଜାକିର ନଗର ଅଞ୍ଚଳରେ ମୌଲାନା ସେଲ୍‌ଫ କ୍ବାରାଣ୍ଟିନ୍‌ରେ ଥିବା ଜାଣିବାକୁ ପାଇଛି ଦିଲ୍ଲୀ ପୁଲିସ। ମାର୍ଚ୍ଚ ୩୧ ତାରିଖରେ ସେ ମସଜିଦ୍‌ରୁ ଖସି ଯାଇଥିଲେ। ଇତିମଧ୍ୟରେ ତାଙ୍କ ସଂଗରୋଧର ୮-୯ ଦିନ ବିତିଯାଇଥିବା ବେଳେ ଆଗାମୀ ସପ୍ତାହରେ ସେ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପୁଲିସ ପୂର୍ବରୁ ସାବଧାନ କରିଥିବା ସତ୍ତ୍ବେ ମୌଲାନା ନିଜାମୁଦ୍ଦିନ୍‌ ଦରଘାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଏକାଠି କରି ମାର୍ଚ୍ଚ ମାସରେ ମର୍କାଜ ପାଳନ କରିଥିଲେ। ଲକ୍‌ ଡାଉନ୍‌ ଘୋଷଣା ହେବା ପରେ ମଧ୍ୟ ପ୍ରାୟ ୨ ହଜାର ବ୍ୟକ୍ତିଙ୍କୁ ଏକାଠି ମସଜିଦ୍‌ ଭିତରେ ରଖିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଦେଶରେ ଏଯାବତ୍‌ ୬୦୦ରୁ ଅଧିକ ମର୍କାଜଜ୍‌ ଫେରନ୍ତା କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ୨୫,୦୦୦ ବ୍ୟକ୍ତି ଆସିଥିବାରୁ କରୋନା ଗୋଷ୍ଠୀ ସଂକ୍ରମଣର ଭୟ ଆଶଙ୍କା ବୃଦ୍ଧିପାଇଛି।

Leave a comment