Odisha News Insight

ଏଥର ରଜରେ ‘ଓଟିଡିସି’ର ନିଆରା ପ୍ରୟାସ : ‘ପିଠା ଅନ୍ ହ୍ୱିଲ୍‌’ ଓ ‘ହୋମ୍ ଡେଲିଭରି’

‘କୋଭିଡ-୧୯’ ସଂକ୍ରମଣ ରୋକିବା ପାଇଁ ସରକାରୀ କଟକଣା ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏଥର ନିଆରା ଢଙ୍ଗରେ ଓଡ଼ିଶାର ପାରମ୍ପରିକ ପର୍ବ ‘ରଜ’ ମହୋତ୍ସବକୁ ଲୋକଙ୍କ ସହ ପାଳିବାକୁ ନିଷ୍ପତ୍ତି ନେଇଛି। ରଜପର୍ବରେ ‘ଓଟିଡିସି’ର ପାନ୍ଥନିବାସଗୁଡ଼ିକରେ ପ୍ରସ୍ତୁତ ସୁସ୍ୱାଦୁ ରଜପିଠା ଲୋକଙ୍କ ପାଖରେ ପହଂଚାଇବାକୁ ପଦକ୍ଷେପ ନିଆଯାଇଛି। ରଜ ମହୋତ୍ସବରେ ସାମାଜିକ ଦୂରତ୍ୱ କଟକଣା, କରୋନାଜନିତ ଲକଡାଉନ୍ ଓ ୧୧ଟି ଜିଲ୍ଲାରେ ଶନିବାର-ରବିବାର ସଟଡାଉନକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ସାଧାରଣ ଲୋକଙ୍କ ନିକଟରେ ସୁଲଭ ଦରରେ ଗୁଣାତ୍ମକ ମାନର ସ୍ୱାଦିଷ୍ଟ ରଜପିଠା ପହଂଚାଇବାକୁ ‘ପିଠା ଅନ୍ ହ୍ୱିଲ୍ ’ ଓ ‘ହୋମ ଡେଲିଭରି’ କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।
ରଜ ପର୍ବରେ ପିଠା ଯୋଗାଇବା ପାଇଁ
ଆସନ୍ତା ଜୁନ୍ ୧୩ ଓ ୧୪ତାରିଖରେ ସଟଡାଉନ୍ ରହୁଥିବାରୁ ଭୁବନେଶ୍ୱର ପାନ୍ଥନିବାସ ପକ୍ଷରୁ ୩ରୁ ୫କିମି ଅଞ୍ଚଳ ମଧ୍ୟରେ ରହୁଥିବା ଲୋକଙ୍କ ନିକଟରେ ରଜପିଠାକୁ ‘ହୋମ୍ ଡେଲିଭରି’ ମାଧ୍ୟମରେ ପହଂଚାଇବାର ବ୍ୟବସ୍ଥା କରାଯାଇଛି । ଦୁଇଦିନର ସଟଡାଉନ୍ ମଧ୍ୟରେ ଯେଉଁମାନେ ରଜପିଠା ଚାହିଁବେ ସେମାନେ ଆମର ଫୋନ୍ ନମ୍ବର-୯୦୭୮୮୮୫୫୧୬ , ୯୪୩୮୨୪୩୫୭୯ ଓ ୯୪୩୭୧୧୫୪୩୭କୁ ଫୋନ୍ କରି ସେମାନଙ୍କ ଇଚ୍ଛା ମୁତାବକ ପିଠା ମଗାଇ ପାରିବେ।

ସେହିପରି ୧୫ରୁ ୧୭ ତାରିଖ ମଧ୍ୟରେ ‘ପିଠା ଅନ୍ ହ୍ୱିଲ୍ ’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନ ଯଥା- ଜୟଦେବ ଭବନ, ରୂପାଲି ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପୋଖରୀପୁଟ୍ ଛକ ଓ ନିଳାଦ୍ରୀ ବିହାର ଛକ ନିକଟରେ ପିଠା ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି । ସମ୍ବଲପୁର ସହରରେ ମଧ୍ୟ ଲୋକମାନଙ୍କ ସୁବିଧା ଓ ଗମନାଗମନକୁ ଦୃଷ୍ଟିରେ ରଖି ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ପିଠା ଯୋଗାଇ ଦିଆଯିବ। କେତେକ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଏଥର ପିଠା ପ୍ରସ୍ତୁତି ଓ ବିକ୍ରି କାର୍ଯ୍ୟରେ ଓଟିଡିସି ସୁଯୋଗ ଦେଇଛି।

ଏସବୁ ବ୍ୟତୀତ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲା ପାନ୍ଥନିବାସଗୁଡ଼ିକରେ ରଜପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲା ରହିବ। ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ କଟକଣା ପାଳନ କରି ଗ୍ରାହକମାନେ ଏସବୁ କାଉଣ୍ଟରରୁ ରଜପିଠା କ୍ରୟ କରିପାରିବେ।

ରଜ ପର୍ବରେ ପିଠା ଯୋଗାଇବା ପାଇଁ ଉଦ୍ଦିଷ୍ଟ ଏହି ଦୁଇଟି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ୧୨ତାରିଖ(ଶୁକ୍ରବାର) ଅପରାହ୍ନ ସାଢ଼େ ୧୨ଟାରେ ଶୁଭାରମ୍ଭ ହୋଇଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ଶ୍ରୀଯୁକ୍ତ ବିଶାଳ କୁମାର ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ଆର.ଯାଦବ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

Leave a comment