Odisha News Insight

କରୋନା ଆଇଟିଆର, ଜିଏସଟିକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ସୀତାରମଣ

 ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ। କରୋନା ମୁକାବିଲା ପାଇଁ ଲକ୍ ଡାଉନ ଜରୁରୀ ବୋଲି ଆଜି ନିର୍ମଳା ସୀତାରମଣ କହିଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ୨୦୧୮-୧୯ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଇଟିଆର ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୧ ବଦଳରେ ଜୁନ ୩୦କୁ ବୃଦ୍ଧି କରିଦେଇଛନ୍ତି କେନ୍ଦ୍ର ସରକାର। ବିଳମ୍ବିତ ପୈଠ ପାଇଁ ସୁଧହାର ୧୨%କୁ ୯%କୁ କମେଇଛନ୍ତି ସରକାର। ବିଳମ୍ବିତ ଟିଡ଼ିଏସ୍ ଅର୍ଥ ଜମା ପାଇଁ ସୁଧହାର ୧୮% ରୁ ୯% କମିଛି।

ସେହିଭଳି ଆଧାର ନମ୍ବର ଓ ପାନ୍‌ ମଧ୍ୟରେ ଲିଙ୍କ ଅବଧି ଜୁନ୍‌ ୩୦ ଯାଏ ଘୁଞ୍ଚାଇବା ସହ ‘ବିବାଦ ସେ ବିଶ୍ୱାସ’ ବାବଦରେ ମଧ୍ୟ ନୂଆ ଘୋଷଣା କରିଛନ୍ତି। ଏହି ସ୍କିମ୍‌ ଅଧୀନରେ ଏବେଠାରୁ ୩୦ ଜୁନ୍‌ ଯାଏ ଅତିରିକ୍ତ ଭାବେ ୧୦% ଶୁଳ୍କ ଦେବାକୁ ପଡ଼ିବନି।

ଅପରପକ୍ଷେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସର ଜିଏସଟି ରିଟର୍ଣ୍ଣିଂ ଦାଖଲ ଅବଧି ଜୁନ ୩୦କୁ ବୃଦ୍ଧି କରାଯାଇଛି। ୫କୋଟିରୁ କମ୍ ଟର୍ଣ୍ଣଓଭର ଥିବା କମ୍ପାନୀ ପାଇଁ ସୁଧ ଓ ଜୋରିମାନା ଛାଡ଼ ହେବ ବୋଲି ସୀତାରମଣ କହିଛନ୍ତି। ସେହିପରି ବଡ଼ କମ୍ପାନୀ ପାଇଁ ସୁଧହାର ୯%କୁ କମାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।

Leave a comment