କେତେ ସାଂଘାତିକ କିମ୍‌ ଜୋଙ୍ଗ୍! ଆତ୍ମଗୋପନ କାଳରେ ଆମେରିକା ଆକ୍ରମଣ ଲାଗି ନିର୍ମାଣ କରିଛନ୍ତି ଆଣବିକ କ୍ଷପଣାସ୍ତ୍ର ଘାଟି

କିଛି ସମୟ ପୂର୍ବରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଯାହା ପ୍ରମୁଖ ଚର୍ଚ୍ଚିତ ପ୍ରସଙ୍ଗ ଥିଲା ତାହା ହେଉଛି ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜୋଙ୍ଗ ଉନ ଉଭାନ ହେବା। ଗତ ଶନିବାର କିମ୍ ଜୋଙ୍ଗ ଦେଶର ଏକ ସାର କାରଖାନା ଉଦଘାଟନ  ଉତ୍ସବରେ ନିଜକୁ ସାର୍ବଜନିକ କରିଛନ୍ତି । ତେବେ ଦୀର୍ଘ ୨୦ ଦିନ କାଳ ସେ କରୁଥିଲେ କ’ଣ ସେ ନେଇ ଚାଲିଛି ଖୋଳତାଡ। ତେବେ ସେ କଣ କରୁଥିଲେ ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ। ତେବେ ଆସନ୍ତୁ ଜାଣିବା କିମ୍‌ ଜୋଙ୍ଗ କରୁଥିଲେ କ’ଣ?  କିମ୍‌ ଜୋଙ୍ଗଙ୍କ ଉତ୍ତରକୋରିଆ ଦୀର୍ଘ ବର୍ଷରୁ ଏକଘରକିଆ ହୋଇ ରହିଛି। ଏଣୁ ସାରା ବିଶ୍ୱର ନଜର ଉତ୍ତରକୋରିଆ ଉପରେ ରହିଥିବା ବେଳେ କିଛି ଉପଗ୍ରହ ଚିତ୍ର ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ସାରା ବିଶ୍ୱ କରୋନା ଯୁଦ୍ଧ କରୁଥିବା ବେଳେ କିମ୍‌ ଜୋଙ୍ଗ ଆମେରିକା ଆକ୍ରମଣ ଲାଗି ବିଶାଳ ଆଣବିକ କ୍ଷପଣାସ୍ତ୍ର ଘାଟି ସ୍ଥାପନାରେ ବ୍ୟସ୍ତ ଥିବା ଏବେ ଉପଗ୍ରହ ଚିତ୍ରରୁ ଅନୁମାନ କରାଯାଉଛି।  ଉତ୍ତରକୋରିଆ ଏକଘରକିଆ ହୋଇ ବିଧ୍ୱଂସକ ଅସ୍ତ୍ରଶସ୍ତ୍ର ସାଙ୍ଗକୁ ଆଣବିକ ଅସ୍ତ୍ର ମଧ୍ୟ ନିର୍ମାଣ କରିଛି। ଏଥିଲାଗି ସି-ଲି ବାଲିଷ୍ଟିକ କ୍ଷପଣାସ୍ତ୍ର ସପୋର୍ଟ ଫ୍ୟାସେଲିଟିରେ ଏକ ବିଶାଳ ଭୂତଳ ଆଣବିକ କ୍ଷପଣାସ୍ତ୍ର ଘାଟି ନିର୍ମାଣ କରାଇଛି। ଯେଉଁଠାରେ ଉତ୍ତରକୋରିଆ ତାର ଅନ୍ତର୍ମହାଦେଶୀୟ କ୍ଷପଣାସ୍ତ୍ର ହସଙ୍ଗ-୧୫କୁ ଆକୋମୋଡେଟ୍ କରିବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏବେ ଚର୍ଚ୍ଚା ହେଉଛି।ଏକ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଅନୁସାରେ ଉତ୍ତରକୋରିଆର ଏହି କ୍ଷପଣାସ୍ତ୍ର ଘାଟିର ନିର୍ମାଣ କାମ ହୁଏତ ଚଳିତବର୍ଷ ଶେଷ ଅଥବା ଆଗାମୀ ବର୍ଷ ଆରମ୍ଭ ବେଳକୁ ସମ୍ପୂର୍ଣ୍ଣ ହେବ। ସେଣ୍ଟର ଫର ଷ୍ଟ୍ରାଟେଜିକ ଓ ଅନ୍ତରାଷ୍ଟ୍ରୀୟ ଅଧ୍ୟୟନଙ୍କ ଆକଳନ ଅନୁସାରେ ଏହ ଫ୍ୟାସେଲିଟିର କାର୍ଯ୍ୟ ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ଏହାର ଭବନ ଓ ଭୂତଳ ବ୍ୟବସ୍ଥାରୁ ଯାହା ଅନୁମାନ କରାଯାଉଛି ସେଥିରୁ ନିକଟସ୍ଥ କାରଖାନାମାନଙ୍କରୁ ସାମଗ୍ରୀ ସଂଗ୍ରହ କରି ଏଠାରେ ବାଲିଷ୍ଟିକ୍ ମିଜାଇଲ ଆସମ୍ବଲ୍ କରାଯାଇପାରେ ।ନିର୍ମାଣାଧିନ ଆଣବିକ ସାମରିକ ଘାଟିର ୩ ମାଇଲ  ଅଞ୍ଚଳରେ ୧୭ଟି ଏୟାର ଡିଫେନ୍ସ ଘାଟି ଓ ବାରାକ୍ ରହିଛି। ଉତ୍ତରକୋରିଆ ୨୦୧୭ ମସିହାରେ ହସଙ୍ଗ-୧୫ କ୍ଷପଣାସ୍ତ୍ରର ପ୍ରଥମ ପରୀକ୍ଷା କରିଥିଲା। ସେତେବେଳେ ଜାତୀୟ ଗଣମାଧ୍ୟମ ଏହାକୁ ନୂଆ ପ୍ରକାରର ଅନ୍ତର୍ମହାଦେଶୀୟ ରକେଟ୍ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ବୋଲି କହିଥିଲା। ଯାହା ଅତି ଭାରୀ ଆଣବିକ ୱାରହେଡ ବହନ କରି ଆମେରିକାର ଗୁରୁତ୍ୱପୂର୍ଣ୍ଣ ଠିକଣାମାନଙ୍କୁ ଟାର୍ଗେଟ୍ କରିବାରେ ସଫଳ ହେବ ବୋଲି କୁହାଯାଇଥିଲା।ତେବେ ୨୦୧୮ ମସିହାରେ ଅନ୍ତର୍ଜାତୀୟ କଟକଣା ନେଇ ଆମେରିକା ସହ ଆଲୋଚନାର ସୁଯୋଗ ପାଇଥିଲା ଉତ୍ତର କୋରିଆ। ଏଥିରେ କିମ୍‌ ଜୋଙ୍ଗ ଉନ୍ ଆମେରିକା ରାଷ୍ଟ୍ରପତିଙ୍କ ସହ ସିଙ୍ଗାପୁରରେ ସିଧାଶଳଖ ଆଲୋଚନାର ସୂଯୋଗ ପାଇଥିବା ବେଳେ କଟକଣା ହଟାଇବାକୁ କହିଥିଲେ। ତେବେ ଏଥିଲାଗି ଉତ୍ତର କୋରିଆକୁ  ପ୍ରଥମେ ଆଣବିକ ଓ ଜୌବିକ ଅସ୍ତ୍ର ମୁକ୍ତ ହେବା ଦରକାର ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି । ଦ୍ୱିତୀୟ ସାକ୍ଷାତ ଆଲୋଚନା ହାନୋଇରେ ହୋଇଥିବା ବେଳେ ଆମେରିକା ଉତ୍ତର କୋରିଆ ସହ କୌଣସି ପ୍ରକାର ରାଜିନାମାରୁ ଓହରି ଯାଇଥିଲା।  ଏଣୁ କିମ୍ ଜୋଙ୍ଗ ପୁଣି ଆଣବିକ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେବା ସହ କୌଣସି ପରିସ୍ଥିତିରେ ଆମେରିକାର ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି।   

AmericaattackKim Zhong