ପୁଲୱାମା ମାଷ୍ଟର ମାଇଣ୍ଡ ନିହତ

ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ରବିବାର ମଧ୍ୟରାତ୍ରରେ ହୋଇଥିବା ଏନ୍‌କାଉଣ୍ଟରରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍‌ ନିହତ ହୋଇଛି । ଏହାସହ ଜୈଶ୍‌-ଇ-ମହମ୍ମଦର ଆଉ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ତ୍ରାଲର ପିଙ୍ଗଲିଶ୍‌ ଅଞ୍ଚଳରେ ମୁଦାସୀର ଓ ଆଉ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଗୁଳି କରିଥିଲେ । ଏହା ପରେ ପରସ୍ପର ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆତଙ୍କବାଦୀ ମୁଦାସୀର ଅହମଦ୍ ଖାନ୍‌ ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ ବୋଲି ସୁରକ୍ଷାକର୍ମୀଙ୍କ ନିକଟରୁ ସୂଚନା ମିଳିଥିଲା । ମୁଦାସୀର ଜଣେ ଇଲେକ୍ଟ୍ରିସିଆନ୍‌ ଏବଂ ତା ବୟସ ମାତ୍ର ୨୩ ବର୍ଷ । ପୁଲୱାମାରେ ଆକ୍ରମଣ ପାଇଁ ସେ ଗାଡ଼ି ଓ ବିସ୍ଫୋରକ ବ୍ୟବସ୍ଥା କରିଥିବା ସମସ୍ତ ପ୍ରମାଣ ତଦନ୍ତକାରୀ ସଂସ୍ଥାକୁ ମିଳିଛି । ୨୦୧୭ରେ ଜୈଶ୍‌ରେ ମିଶିଥିଲା ମୁଦାସୀର ଅହମଦ୍ ଖାନ୍‌ । ସୁଚନାଅନୁସାରେ, ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିଲେ।

attackPhulwanaterrorist