ରଥଯାତ୍ରା ଆୟୋଜନକୁ ନେଇ ସୁପ୍ରିମ୍କୋର୍ଟରେ ରୁଜୁ ହୋଇଥିବା ମାମଲାର ୧୮ ତାରିଖରେ ଶୁଣାଣି କରାଯିବ। ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତିଙ୍କ ସହିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ ରଥଯାତ୍ରା ଆୟୋଜନକୁ ନେଇ ସୁପ୍ରିମ୍କୋର୍ଟରେ ଏକ ଆବେଦନ କରିଥିଲେ। ଏହି ଆବେଦନରେ ସେ କହିଥିଲେ ଯେ, କୋରୋନା ସଂକ୍ରମଣ ସମୟରେ ସାମାଜିକ ଦୂରତା ରକ୍ଷା କରି କିଭଳି ରଥଯାତ୍ରା ଆୟୋଜନ କରାଯିବ ସେନେଇ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ଏନେଇ ହାଇକୋର୍ଟ ମଧ୍ୟ ପୂର୍ବରୁ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ କହିସାରିଛି। ହେଲେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇ ନାହାନ୍ତି ବୋଲି ସେ କହିଥିଲେ। ଏଥିସହ ଏହାକୁ ନେଇ ସେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଆସନ୍ତା ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ ବୋଲି କୁହାଯାଇଛି।