ଉତ୍ତର ପ୍ରଦେଶ: ସଂପୂର୍ଣ୍ଣ ଭାବେ ସିଲ୍‌ ହେବ ୧୫ ଜିଲ୍ଲା

ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ ଡାଉନ୍। ଏହି ୨୧ ଦିନିର ଲକ୍‌ଡାଊନ୍‌ ୧୪ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏପରିକି କରୋନାର କାୟାକୁ ଦେଖି ଲକ୍‌ଡାଉନ୍‌ର ଅବଧି ବୃଦ୍ଧି କରିବା ପାଇଁ କିଛି ରାଜ୍ୟ ଦାବି କରୁୁଛନ୍ତି। ଏନେଇ ମଧ୍ୟ ଆଜି ବିପକ୍ଷ ଦଳ ନେତାଙ୍କ ସହିତ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ୧୧ ତାରିଖରେ ଏକ ବୈଠକ ରଖିଛନ୍ତି। ଏହାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ଉତ୍ତର ପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି।

ଆଜି ରାତି ୧୨ଟାରୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏ ୟୁପି ସରକାର ରାଜ୍ୟର ୧୫ଟି ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ କରାଯିବ। ଅର୍ଥାତ ଏଠାକାର କୌଣସି ଲୋକ ବାହାରକୁ ବାହାରି ପାରିବେ ନାହିଁ କିମ୍ବା ବାହାର ଲୋକ ଏଠାକୁ ଆସି ପାରିବେ ନାହିଁ। ଏହି ୧୫ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଲୋକଙ୍କ ଘରେ ପହଞ୍ଚା ଯିବ ବୋଲି ସରକାର ଘୋଷଣା କରିଛନ୍ତି। ସେହିପରି ଅଞ୍ଚଳରେ କର୍ଫ୍ୟୁ ପାସ୍‌ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଯୋଗାଇ ଦିଆଯିବ।

ଯେଉଁ ୧୫ ଜିଲ୍ଲାକୁ ସଂପୂର୍ଣ୍ଣ ରୂପେ ସିଲ କରାଯିବ ସେ ଗୁଡ଼ିକ ହେଲା-ଲକ୍ଷ୍ନୌ, ଆଗ୍ରା, ଗାଜିଆବାଦ, ଗୌତମବୁଦ୍ଧ ନଗର(ନୋଏଡା), କାନପୁର, ବାରାଣସୀ, ଶାମଲି, ମୀରଟ, ବରେଲୀ, ବୁଲନ୍ଦଶହର, ଫିରୋଜାବାଦ, ମହାରାଜଗଞ୍ଜ, ସୀତାପୁର, ସାହରନପୁର ଓ ବସ୍ତି।

ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବ କହିଛନ୍ତି, କରୋନା ମହାମାରୀକୁ ରୋକିବା ପାଇଁ ଏହି ୧୫ ଜିଲ୍ଲାକୁ ସିଲ କରାଯିବ। ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତିର ସମୀକ୍ଷା କରିବେ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶର ୩୭ଟି ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

CoronaVirusIndiaUttar Pradesh