Odisha News Insight

କୋଭିଡ-୧୯ ପରୀକ୍ଷା ମାଗଣାରେ ହେଉ, ସରକାର ସୁନିଶ୍ଚିତ କରନ୍ତୁ: ସୁପ୍ରିମକୋର୍ଟ

ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କୋଭିଡ-୧୯ ପରୀକ୍ଷା ମାଗଣାରେ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର କିଛି ବ୍ୟବସ୍ଥା କରନ୍ତୁ ଓ ବିଶେଷ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହାସହିତ ଘରୋଇ ପରୀକ୍ଷାଗାର ଗୁଡ଼ିକୁ କୋଭିଡ-୧୯ ପରୀକ୍ଷା ପାଇଁ ଅଧିକ ଟଙ୍କା ନନେବାକୁ କେନ୍ଦ୍ର ସରକାରକୁ କହିଛନ୍ତି ଦେଶର ସୁପ୍ରିମ କୋର୍ଟ।

ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏସ୍‌ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଶୁଣାଶି ସମୟରେ କହିଛନ୍ତି ଯେ, ଘରୋଇ ପରୀକ୍ଷାଗାରର ହେଉଥିବା କୋଭିଡ-୧୯ ପରୀକ୍ଷା ସେମାନେ ମନମୁଖୀ ଟଙ୍କା ନେଇ ପାରିବେ ନାହିଁ। ଏଥିପ୍ରତି ସରକାର ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ଏବଂ କୋଭିଡ-୧୯ର ପରୀକ୍ଷା ମାଗଣାରେ କରିବା ପାଇଁ ସରକାର ପଦକ୍ଷେପ ନେବା ଦରକାର। କରୋନା ପରୀକ୍ଷା ମାଗଣା କରାଯାଉ ବୋଲି କୋର୍ଟରେ ଆବେଦନ ହୋଇଥିଲା। ଆଜି ଏହାର ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଯୋଦ୍ଧା ବୋଲି କହିଛନ୍ତି। ଏଥିସହିତ ସେମାନଙ୍କ ସୁରକ୍ଷା ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଅପରପକ୍ଷେ, ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେତା ଯୋଗ ଦେଇ କହିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସଚେତନ ରହିଛନ୍ତି। ସେମାନଙ୍କର ସୁରକ୍ଷା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ପିପିଇ କିଟ୍ ମଧ୍ୟ ଅଧିକ ଯୋଗାଇବାକୁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି। ଏଥିସହ କରୋନା ସଂକ୍ରମିତ ବ୍ୟକ୍ତି ଯେମିତି ଅଧିକ ଲୋକଙ୍କୁ ପ୍ରଭାବିତ ନକରିବେ ସେଥିପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ଦେଶରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ଡାକ୍ତରଖାନାର ସ୍ୱାସ୍ଥ୍ୟକର୍ମଚାରୀଙ୍କ ଦରମା ନକାଟିବାକୁ କେନ୍ଦ୍ର ସରକାର କହିଛନ୍ତି ବୋଲି ସେ କହିଛନ୍ତି।

Leave a comment