Odisha News Insight

ବିଏମସି ବୁଲାଇଲା ପ୍ରଚାର ଗାଡ଼ି

ହଟସ୍ପଟ ଜୋନ ତଥା ଭୁବନେଶ୍ୱରରେ ଦୋକାନ ଖୋଲିଲେ ଏଣିକି କାର୍ଯ୍ୟାନୁଷ୍ଟାନ ନିଆଯିବ ।

ଗତ ଦୁଇଦିନ ହେଲା କେତେକ ଅମାନିଆ ବ୍ୟବସାୟୀ ତଥା ଦ୍ୱନ୍ଦ୍ୱରେ ପଡି କିଛି ଦୋକାନ ବଜାର ଖୋଲିଥିଲେ । ଏନେଇ ‘ONI’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଉଠିଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ବ୍ୟବସାୟୀ ପ୍ରଚାର ମାଧ୍ୟମରେ ଦୋକାନ ନଖୋଲିବାକୁ ପରାମର୍ଶ ଦେଇଥିବା ବେଳେ ପୁଲିସ ଜୋରିମାନା ଆଦାୟ କରିଛି । ଏହା ପରେ ଯଦି କେହି ଦୋକାନ ଖୋଲନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୋମବାର ଅପରାହ୍ନରେ ବିଏମ୍‌ସି ପକ୍ଷରୁ ପାଞ୍ଚୋଟି ପ୍ରଚାର ଗାଡି ବାହାରିଥିଲା । ସେଥିରେ  ତିନୋଟି ଜୋନ୍‌କୁ ୩ଟି ଗାଡି ଯାଇଥିବା ବେଳେ ମାର୍କେଟ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଦୁଇଟି ଗାଡିରେ ପ୍ରଚାର କରି ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରିଛି । ଜନସାଧାରଣ ଏବଂ ବ୍ୟବସାୟୀମାନଙ୍କୁ ପ୍ରଚାର ମାଧ୍ୟମରେ କୁହାଯାଇଛି, କେବଳ ଅତ୍ୟାବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଯାହାକି ଗ୍ରୋସରୀ ବା ତେଜରାତୀ ଦୋକାନ, ପରିବା ଓ ଫଳ ଦୋକାନ ଏବଂ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲାଯାଇପାରିବ ନାହିଁ ।

ଉପରୋକ୍ତ ଦୋକାନ ଗୁଡିକ ବ୍ୟତୀତ ଗୃହ ନିର୍ମାଣ ସାମଗ୍ରୀ,  ଯଥା; ବାଲି, ଗୋଡି, ସିମେଣ୍ଟ, ରଡ୍ ଏବଂ ଇଟା ଇତ୍ୟାଦି ବିକ୍ରୟ କରାଯାଇପାରିବ । ଏହି ପରିବହନ କେବଳ ରାତ୍ରିରେ କରାଯାଇପାରିବ । କାରଣ, କିଛିଦିନ ତଳେ ବିଏମ୍‌ସି କର୍ତ୍ତୃପକ୍ଷ ସମାନସ୍ଥାନ ପ୍ରକଳ୍ପ କାର୍ଯ୍ୟ ବା ଇନ୍‌-ସିଟୁ ପ୍ରୋଜେକ୍ଟ ପାଇଁ ଅନୁମୋଦନ କରିଥିଲେ । ଏପ୍ରିଲ ୨୦ ତାରିଖରେ ହୋଇଥିବା ଉକ୍ତ ଆଦେଶନାମା ପରେ ରାତି ୧୦ଟାରୁ ଦିନ ୫ଟା ମଧ୍ୟରେ ପରିବହନ କରିବାକୁ କୁହାଯାଇଥିଲା । ତେବେ ବିଏମ୍‌ସି ଇଲାକା ମଧ୍ୟରେ ବୁଲି ବୁଲି ଜନ ସଚେତନତା ସୃଷ୍ଟି କରୁଥିବା ଏହି ପାଞ୍ଚଚୋଟି ପ୍ରଚାର ଗାଡି କେବଳ ଲକ୍‌ଡାଉନ୍ ଅବଧି ବାବଦରେ ଏବଂ ଦୋକାନ ଖୋଲିବା ବାର୍ତ୍ତା ବାଣ୍ଟିନଥିଲା ବରଂ ସାମାଜିକ ଦୁରତା ରକ୍ଷା ପାଇଁ କୁହାଯାଇଥିଲା ।  

ସେହିପରି କମିଶନରେଟ ପୁଲିସ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରିବା ସହ ଦୋକାନ ନଖୋଲିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଭୁବନେଶ୍ୱର ମହାନଗର ନିଗମର ବିନା ଅନୁମତିରେ ବମିଖାଲ ଓଭରବ୍ରିଜ ନିକଟରେ ଦୋକାନ ଖୋଲିଥିବା ନେଇ ଜଣେ ମିଠା ଦୋକାନୀ ଠାରୁ ପୁଲିସ ୮ ହଜାର ଟଙ୍କା ଜୋରିମାନା କରାଯାଇଛି । ଏଥିସହିତ ଅନ୍ୟ କେତେକ ଦୋକାନୀଙ୍କ ଠାରୁ ମଧ୍ୟ ଜୋରିମାନା କରାଯାଇଥିବା ଜଣାପଡିଛି । ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତେବେ ମହାମାରୀ ଆଇନ ଅନୁସାରେର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।

ଉଲ୍ଲେଖଥାଉ କି, ଶନିବାର କେନ୍ଦ୍ର ସରକାର ଦେଶରେ ସର୍ତ୍ତମୂଳକ ଭାବେ ଦୋକାନ-ବଜାର ଖୋଲିବାକୁ ବିଜ୍ଞପ୍ତି ଜାରି କରିଥିଲେ । ପରେ ରାଜ୍ୟରେ ମଧ୍ୟ କିଛି ସର୍ତ୍ତ ରଖି ଦୋକାନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି କୋହଳ  ରାଜ୍ୟର ହଟସ୍ପଟ କିମ୍ବା କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଲାଗୁ ହୋଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ହେଲେ ରାଜଧାନୀରେ ଲୋକେ ଦେକାନ-ବଜାର ଖୋଲିଥିଲା ।

Leave a comment