Odisha News Insight

ସହରାଞ୍ଚଳର ଗରିବଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ସାଢ଼େ ୪ ଲକ୍ଷ ପରିବାର

କୋଭିଡ୍ ୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି ।  Urban Wage Employment Intiative ନାଁରେ ୧୦୦ କୋଟି ଟଙ୍କାର ଏକ ଜରୁରୀକାଳୀନ କାର୍ଯ୍ୟକ୍ରମକୁ ସହରାଞ୍ଚଳ ଗରିବଙ୍କ ପାଇଁ ଉପହାର ଦେଇଛନ୍ତି । ରାଜ୍ୟର ୧୧୪ ଟି ପୌରାଞ୍ଚଳରେ ରହୁଥିବା ଶ୍ରମିକ, ଗରିବ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ ଏଥିରୁ ରୋଜଗାର ପାଇବେ । ଏହି ଯୋଜନାରେ ସହରାଞ୍ଚଳର ୪ ଲକ୍ଷ ୫୦ ହଜାର ଗରିବ ପରିବାର ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚଳିତ ଏପ୍ରିଲ୍ ମାସରୁ ଆରମ୍ଭ ହୋଇ ଆଗାମୀ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ ।  ହିତାଧିକାରୀମାନଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ ।

ଯୋଜନାର ରୂପରେଖ ଅନୁଯାୟୀ, ସହରାଞ୍ଚଳରେ ଅନେକ ଶ୍ରମଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଡ୍ରେନ୍ ଗୁଡ଼ିକରୁ ମାଟି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡ଼ିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନଗୁଡ଼ିକର ଉନ୍ନତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସାମୟିକ କାର୍ଯକ୍ଷେତ୍ର ନିର୍ମାଣ, ବନୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ନିର୍ମାଣ ଅବଶେଷର ନିଷ୍କାସନ ସହିତ ଅନ୍ୟାନ୍ୟ ଶ୍ରମଭିତ୍ତିକ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିସହ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କୁ ରୋଜଗାର ଦେବା ପାଇଁ କାନ୍ଥରେ ଚିତ୍ରାଙ୍କନ(ୱାଲ୍ ପେଣ୍ଟିଂ) ନିର୍ମାଣ ପାଇଁ ସୁଯୋଗ ସୃଷ୍ଟି କରାଯିବ ।

Leave a comment