Odisha News Insight

କିସ୍ ରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଲାସ୍ ; ୩୦ ହଜାର ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲା ଶିକ୍ଷା

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ (କିସ୍) ଉଦ୍ୟମରେ ଓ କଳିଙ୍ଗ ଟିଭି ପ୍ରୟାସରେ କିସ ଇ ଲର୍ଣ୍ଣିଂ କ୍ଳାସ କାର୍ଯ୍ୟକ୍ରମ ବୁଧବାର କିସରେ ଉଦଘାଟିତ ହୋଇଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରେଣୀଗୃହ ଶିକ୍ଷାଦାନ ପଦ୍ଧତି ହେଉଛି ଶିକ୍ଷାଦାନର ପ୍ରକୃତ ପଦ୍ଧତି । କିନ୍ତୁ ଏବେ କାରୋନା ମହାମାରୀ ପାଇଁ ସ୍କୁଲ କଲେଜ ବନ୍ଦ ରହି ଥିବା ବେଳେ ଆବଶ୍ୟକ ନଥିଲେ କେହି ବାହାରକୁ ବାହାରୁ ନାହାନ୍ତି । ଏଥିପାଇଁ କିଟ ଓ କିସ୍  ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କିସ ଛତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ପାଠ ପଢାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ କିସ କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା କରିଛନ୍ତି। କିସ୍ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସମସ୍ତେ କିସ୍ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗରେ ରହି ଆସିଛନ୍ତି।  କିସ୍ ଛାତ୍ରଛାତ୍ରୀ  ସେମାନଙ୍କ ଘରେ ପାଠ୍ୟ ପୁସ୍ତକ ଓ ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆ ଯାଇଥିବା ବେଳେ ସେମାନେ ଘରେ ଥାଇ ଯେପରି ପାଠ ପଢି ପାରିବେ ସେଥିପାଇଁ କଳିଙ୍ଗ ଟିଭି ପ୍ରୟାସ କ୍ରମେ  କିସ୍ ପକ୍ଷରୁ ଇ ଲର୍ଣ୍ଣିଂ କ୍ଳାସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏଥିପାଇଁ ପ୍ରତିଦିନ କଳିଙ୍ଗ ଟିଭିରେ ଅଧଘଣ୍ଟାଏ ଲେଖାଏଁ ଶିକ୍ଷାଦାନ ପ୍ରସାରଣ କରାଯିବ । ଘରେ ବସି ଏହାର ସୁଯୋଗ ନେବା ପାଇଁ ଆଜି ଶ୍ରୀ ସାମନ୍ତ କିସ୍  ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷାଦାନକୁ ପିଲାଙ୍କ ଘରେ ପହଞ୍ଚାଇ ଦେବା ପାଇଁ ଏହା ହେଉଛି କିସର ପ୍ରଥମ ପ୍ରୟାସ ବୋଲି ଶ୍ରୀ ସାମନ୍ତ କହିଥିଲେ । ତାଲାବନ୍ଦ ଯୋଗୁଁ କିସ ପିଲାମାନେ କିଭଳି ସେମାନଙ୍କ ଶିକ୍ଷା ଜାରି ରଖିପାରିବେ ସେ ନେଇ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଚିନ୍ତା କରି ବ୍ୟବସ୍ଥା କରିଥିଲେ । ପ୍ରଥମେ କିସ୍ ର ୩୦ ହଜାର ପିଲାଙ୍କୁ ହ୍ଵାଟସ ଆପ ଏବଂ ମୋବାଇଲ ଦ୍ଵାରା ଶିକ୍ଷା ଦାନ କରାଯାଉଥିଲା। ଏଣିକି ଇ ଲର୍ଣ୍ଣିଂ କ୍ଲାସ ରେ ଯାହାସବୁ ପଢାଯିବ ତା’ର ଶିକ୍ଷଣ ଉପକରଣ ସେମାନଙ୍କୁ ଯୋଗାଇ ଦିଆଯିବ। ଫଳରେ ଶିକ୍ଷା ଲାଭରେ ସେମାନଙ୍କର କୈାଣସି ଅସୁବିଧା ହେବ ନାହିଁ। ଏହି ଇ ଲର୍ଣ୍ଣିଂ କ୍ଳାସ ମାଧ୍ୟମରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହୋଇ ପାରିବେ । ଏହା ଦ୍ଵାରା କେବଳ କିସ ଛାତ୍ରଛାତ୍ରୀ ନୁହନ୍ତି, ସମଗ୍ର ଓଡିଶାର ଛାତ୍ରଛାତ୍ରୀମାନେ ଉପକୃତ ହୋଇ ପାରିବେ। ଓଡିଶାର ବିଭିନ୍ନ ଓଡିଆ ମାଧ୍ୟମ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସଦୁପଯୋଗ କରି ପାରିବେ ।

ଆସନ୍ତା ସୋମବାରଠାରୁ କଳିଙ୍ଗ ଟିଭିରେ ପ୍ରତିଦିନ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ ଓ କିସ ସମ୍ପାଦକ ଆର ଏନ ଦାଶ, କିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment