Odisha News Insight

ଜେଆରଡ଼ିଙ୍କ ଫ୍ରେଞ୍ଚ କନେକସନ ଓ ଆଧୁନିକ ଭାରତର ବିମାନସେବାର ସୃଷ୍ଟି

ଭାରତ ବିମାନ ପରିବହନ ସେବା ଆରମ୍ଭ କରିବା ସହ ମୋଟର‌୍‌ ନିର୍ମାଣ ଶିଳ୍ପକୁ ନୂଆ ରୂପ ଦେଇଥିଲେ ଜେଆର‌୍‌ଡି ଟାଟା (ଜନ୍ମ: ୨୯ ଜୁଲାଇ ୧୯୦୪; ମୃତ୍ୟୁ: ୨୯ ନଭେମ୍ବର‌୍‌ ୧୯୯୩),  ପୂରା ନାମ ଜାହାଙ୍ଗୀର ରତନଜୀ ଦାଦାଭାଈ ଟାଟା। ସେ ଥିଲେ, ରତନଜୀ ଦାଦାଭାଈ ଟାଟା ଏବଂ ସୁଜାନା ବ୍ରିୟେଙ୍କ ପଞ୍ଚ-ସନ୍ତାନଙ୍କ ମଧ୍ୟରେ ଦ୍ୱିତୀୟ। ମାତା ଫରାସୀ ଥିବା ସହ ପାରିସ୍‌ରେ ଜନ୍ମ ହୋଇଥିବାରୁ, ତାଙ୍କ ଆଦ୍ୟ ଜୀବନର ମୁଖ୍ୟ ଭାଗ ଫ୍ରାନ୍‌ସରେ କଟିଥିଲା। ତେଣୁ, ଫ୍ରେଞ୍ଚ ଥିଲା ତାଙ୍କର ମାତୃଭାଷା। ପ୍ୟାରିସ୍‌ରେ ହିଁ ତାଙ୍କର ବିଦ୍ୟାଳୟ ଶିକ୍ଷା ଆରମ୍ଭ ହୋଇଥିଲା। ଶିକ୍ଷକମାନେ ଡାକୁଥିଲେ- ‘ଲା ଇଜିପ୍‌ଟିଆନ୍‌’। 
ପରେ ବମ୍ବେ, ଟୋକିଓ ଏବଂ ଲଣ୍ଡନ୍‌ରେ ପଢ଼ିଥିଲେ। ତାଙ୍କ ପିତା ଥିଲେ ଜାମସେଦଜୀ ଟାଟାଙ୍କ ସମ୍ପର୍କୀୟ ଭାଇ। ପିତା ଟାଟା କମ୍ପାନୀରେ ଯୋଗଦେବା ପରେ ସପରିବାର ଲଣ୍ଡନ୍‌ ଆସିଥିଲେ। ସୁଜାନାଙ୍କର ମାତ୍ର ତେୟାଳିଶ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା। ଜେଆର୍‌ଡିଙ୍କ ପିତା ମର୍ମାହତ ହୋଇ ସପରିବାର ବମ୍ବେ ଫେରିଯାଇଥିଲେ। ତେବେ, ଜେଆର୍‌ଡି ଲଣ୍ଡନ୍‌ରେ ରହି ପଢ଼ିଥିଲେ। ଜେଆର୍‌ଡି ଫରାସୀ ନାଗରିକ ଥିବାରୁ, ସେତେବେଳର ଆଇନ(ସେନାରେ ବାଧ୍ୟତାମୂଳକ ଏକ ବର୍ଷ) ଅନୁଯାୟୀ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଫରାସୀ ସେନାରେ ଯୋଗଦେଇଥିଲେ। ଗୋଟିଏ ବର୍ଷ ପରେ ସେନା ଛାଡ଼ିଦେଇଥିଲେ। ସେନା ଛାଡ଼ିବାର ଅଳ୍ପ କିଛି ଦିନ ପରେ, ତାଙ୍କ ରେଜିମେଣ୍ଟର ସମସ୍ତ ସୈନିକ ମରକ୍କୋରେ ପ୍ରାଣ ହରାଇଥିଲେ। ପିତା ଚାହିଁବାରୁ ସେ ଭାରତ ଫେରି ବ୍ୟବସାୟରେ ଯୋଗଦେଇଥିଲେ। ଭାରତ ଫେରିବା ପରେ ସେ ଫରାସୀ ନାଗରିକତା ତ୍ୟାଗ କରିଥିଲେ। ୧୯୩୦ରେ ଥେଲ୍‌ମା ଭିକାଜୀଙ୍କ ସହ ତାଙ୍କର ବିବାହ ହୋଇଥିଲା।

ଜେଆର୍‌ଡି ଟାଟା ଗ୍ରୁପର ଅଧ୍ୟକ୍ଷ ଏବଂ ଟାଟା ସନ୍‌ସର ଅଂଶୀଦାର ଥିଲେ। ସେ ହିଁ ଟାଟା କନ୍‌ସଲ୍‌ଟାନ୍‌ସି, ଟାଟା ମୋଟର୍ସ‌୍‌, ଟାଇଟାନ୍‌ ଇଣ୍ତଷ୍ଟ୍ରିଜ୍‌, ଟାଟା ସଲ୍‌ଟ, ଭୋଲ୍‌ଟାସ୍‌, ଏଆର‌୍‌ ଇଣ୍ତିଆ ଆଦିର ପ୍ରତିଷ୍ଠାତା। ୧୯୪୫ରେ ସେ ‘ଟାଟା ମୋଟର୍ସ‌୍‌’ ଆରମ୍ଭ କରିଥିଲେ ଏବ˚ ୧୯୪୮ରେ ‘ଏୟାର‌୍‌ ଇଣ୍ତିଆ ଇଣ୍ଟର‌୍‌ନେସ୍‌ନାଲ୍‌’- ଭାରତର ପ୍ରଥମ ଅନ୍ତର୍ଜାତୀୟ ବିମାନ ପରିବହନ କମ୍ପାନୀ। ୧୯୫୩ରେ ଭାରତ ସରକାର, ତାଙ୍କୁ ଏୟାର‌୍‌ ଇଣ୍ତିଆର ଅଧ୍ୟକ୍ଷ  ଭାବେ ନିଯୁକ୍ତି ଦେଇଥିଲେ। ଉକ୍ତ ପଦରେ ସେ ପଚିଶ ବର୍ଷ କାର୍ଯ୍ୟ କରିଥିଲେ।

ମାତା ସୁଜାନ୍‌, ଭାରତର ପ୍ରଥମ ମହିଳା ଭାବେ ମୋଟର‌୍‌ କାର‌୍‌ ଚଳାଇଥିଲେ ଏବଂ ପୁତ୍ର ଜେଆର‌୍‌ଡି ୧୯୨୯ରେ ଭାରତର ପ୍ରଥମ ବୈମାନିକ ଭାବେ ବିମାନ ଉଡ଼ାଇଥିଲେ। ସେ ଭାରତର ପ୍ରଥମ ଲାଇସେନ୍‌ସପ୍ରାପ୍ତ ବିମାନ ଚାଳକ। ତାଙ୍କୁ ଆମ ଦେଶର ବେସାମରିକ ବିମାନ ପରିବହନର ଜନକ କୁହାଯାଏ। ଭାରତୀୟ ବାୟୁ ସେନା ପକ୍ଷରୁ ତାଙ୍କୁ ୧୯୪୮ରେ ଅନରାରି ଗ୍ରୁପ୍‌ କ୍ୟାପ୍‌ଟେନ୍‌ ପଦ ଦିଆଯାଇଥିଲା। 

୧୯୬୬ରେ ସେ ଅନରାରି ଏଆର‌୍‌ କମୋଡର‌୍‌ ଏବଂ ୧୯୭୪ରେ ଅନରାରି ଏଆର‌୍‌ ଭାଇସ୍‌ ମାର୍ସାଲ୍‌ ପଦକୁ ପଦୋନ୍ନତି ପାଇଥିଲେ। ୧୯୮୩ରେ ଫ୍ରାନ୍‌ସ ସରକାର ସେହି ଦେଶର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ଲିଜେଁ ଡିନେୟା ପ୍ରଦାନ କରିଥିଲେ। ଭାରତ ସରକାରଙ୍କ ପକ୍ଷରୁ ୧୯୫୫ରେ ‘ପଦ୍ମ ବିଭୂଷଣ’ ଏବ˚ ୧୯୯୨ରେ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। ୨୦୧୨ରେ ‘ଆଉଟ୍‌ଲୁକ୍‌’ ପତ୍ରିକା, ‘ବିବିସି’, ‘ହିଷ୍ଟ୍ରି ୧୮ ଚାନେଲ୍‌’ ଏବଂ ସିଏନ୍‌ଏନ୍‌-ଆଇବିଏନ୍‌ ପକ୍ଷରୁ ଜନମତ ଆଧାରରେ ଶତାବ୍ଦୀର ଶ୍ରେଷ୍ଠ ଭାରତୀୟଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେଥିରେ ଜେଆର‌୍‌ଡି ଷଷ୍ଠ ସ୍ଥାନ ପାଇଥିଲେ।

ଉଦ୍ୟୋଗପତି ଜୀବନର ପ୍ରଥମ ଭାଗରେ ଜେଆର୍‌ଡି ବେଶ୍‌ ନୀତିନିଷ୍ଠ ଥିଲେ। କର୍ମଚାରୀ ତଥା ଶ୍ରମିକଙ୍କ ସୁବିଧା-ସୁଯୋଗ ପ୍ରତି ବିଶେଷ ଦୃଷ୍ଟି ଦେଉଥିଲେ। ସେ ଆଠ ଘଣ୍ଟିଆ କର୍ମ ସମୟ, କର୍ମଚାରୀଙ୍କ ମାଗଣା ଚିକିତ୍ସା ସୁବିଧା, ବୀମା ଆଦି ପ୍ରଚଳନ କରିଥିବା ପ୍ରଥମ ଭାରତୀୟ ଉଦ୍ୟୋଗପତି। ଶ୍ରମିକ ମଙ୍ଗଳକୁ ସେ ପ୍ରାଧାନ୍ୟ ଦେଉଥିଲେ। ରାଜନେତାଙ୍କୁ ଲାଞ୍ଚ ଦେବା ଓ କଳା-କାରବାର ତାଙ୍କ ନୀତି ବିରୋଧୀ ଥିଲା। ତେବେ ପରବର୍ତ୍ତୀ କାଳରେ ସେ ନିଜ ଉଦ୍ୟୋଗର ସ୍ୱାର୍ଥ ପାଇଁ ଲାଞ୍ଚମିଛର ଆଶ୍ରୟ ନେଇଥିଲେ। ରାଜନୈତିକ ଦଳ ତଥା ନେତା ଓ ପ୍ରଶାସକଙ୍କୁ ଲାଞ୍ଚ ଦେବା ଧାରାରେ ‘ଟାଟା ଗ୍ରୁପ୍‌’ ସାମିଲ ହୋଇଥିଲା। 

(ଏକ ଦୃଷ୍ଟାନ୍ତ-ଜେଆର୍‌ଡିଙ୍କ ଦେହାନ୍ତର ଅଳ୍ପ କିଛି ଦିନ ପୂର୍ବର ଓଡ଼ିଶା ସଂପର୍କିତ ଘଟଣା: ବିଜୁ ପଟ୍ଟନାୟକ ସରକାର ଚିଲିକା ହ୍ରଦରେ ଚିଙ୍ଗୁଡ଼ି ଚାଷ ପାଇଁ ଟାଟା କମ୍ପାନୀକୁ ଅନୁମତି ଦେଇଥିଲା। ଏହା କାର୍ଯ୍ୟକାରୀ ହୋଇଥିଲେ ମରାଳମାଳିନୀ ଚିଲିକାର ମୃତ୍ୟୁ ନିଶ୍ଚିତ ଭାବେ ଘଟିଥାଆନ୍ତା। ୧୯୯୩ରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଥମେ ବିରୋଧ କରିଥିଲେ ବାଙ୍କବିହାରୀ ଦାସ। ଚିଲିକାର ମତ୍ସ୍ୟଜୀବୀଙ୍କୁ ନେଇ ସେ ‘ଚିଲିକା ବଞ୍ଚାଅ ଆନ୍ଦୋଳନ’ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନରୁ ଓହରିବା ପାଇଁ ବାଙ୍କବିହାରୀଙ୍କୁ ତିନି କୋଟି ଟଙ୍କା ଲାଞ୍ଚ ଯଚାଯାଇଥିଲା। ଜଣେ ମହାନ୍‌ ନେତାଙ୍କୁ ଲାଞ୍ଚ ଯାଚିବା ଭଳି ଲଜ୍ଜାକର ଘଟଣା ସେତେ ବେଳେ ଜନଜୀବନକୁ ଦୋହଲାଇ ଦେଇଥିଲା।)

ଜରୁରୀକାଳୀନ ପରିସ୍ଥିତି ବେଳେ ଜେଆର୍‌ଡି ଇନ୍ଦିରା ଗାନ୍ଧୀଙ୍କୁ ସମର୍ଥନ ଦେଇ କୁଖ୍ୟାତି ଅର୍ଜିଥିଲେ। ‘ନିଉ ୟର୍କ‌୍ ଟାଇମ୍‌ସ’କୁ ଏକ ସାକ୍ଷାତ୍‌କାରରେ ସେ କହିଥିଲେ- ‘ସ୍ଥିତି ଅତି ଖରାପ। ଆମେ ଦୁର୍ଦ୍ଦିନ ଭିତରେ ଗତି କରୁଛୁ। ସବୁ କଥାରେ ଧର୍ମଘଟ, ବିକ୍ଷୋଭ, ପ୍ରତିବାଦ; ଆମେ ରାସ୍ତାକୁ ବାହାରି ପାରୁନାହୁଁ। ସଂସଦୀୟ ଗଣତନ୍ତ୍ର, ଆମକୁ ସୁହାଉନାହିଁ।’ସୁଇଜର‌୍‌ଲାଣ୍ତ୍‌ର ଜେନିଭାରେ ତାଙ୍କର ପରଲୋକ ହୋଇଥିଲା।