Odisha News Insight

କୋଟିପତି ନେତାଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ବିଜେଡ଼ି ଭାବମୂର୍ତ୍ତି ପ୍ରଭାବିତ

ଓଏନଆଇ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ବିଜେଡି ର ଜଣେ ପ୍ରତିପତ୍ତିଶାଳୀ ପୂର୍ବତନ ବିଧାୟକଙ୍କ ରାଜନୈତିକ ଅପରିପକ୍ବତା ପାଇଁ ଦଳର ଭାବମୂର୍ତ୍ତି ଢେର ରସାତଳକୁ ଗଲାଣି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ।

ନିଜର ଟଙ୍କା ବଳରେ ସବୁଠି ସବୁ କିଣି ପାରିବାର ମାନସିକତା ତାଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ସମାଲୋଚିତ କରାଇଥିଲେ ମଧ୍ୟ ସେ ସେଥିରୁ ଶିକ୍ଷା ନେଇ ପାରୁନାହାନ୍ତି । କିଛିଦିନ ତଳେ ଗଁଦିଆ ରେ ଅଞ୍ଚଳର କିଛି ଦାବି ନେଇ ଆୟୋଜିତ ହେଇଥିବା ସମାବେଶରେ ବିଶୃଙ୍ଖଳା ସୃଷ୍ଟି କରେଇବାକୁ ଚେଷ୍ଠା କରି ଗଁଦିଆ ଭୋଟରଙ୍କ ମନରେ ସଦାବେଳପାଇଁ ନିଜପାଇଁ ଘୃଢଣାଭାବ ସୃଷ୍ଟି କରାଇବା ପରେ ବି ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପରିବର୍ତ୍ତେ ସେହିଭଳି ଭାବେ ବଳରାମପୁର ବିୟର କାରଖାନା କେସରେ ଲୋକହସା ହୋଇଥିଲେ ।

ପୂର୍ବରୁ ତାଙ୍କ ନାଁ ରେ ନିଜ ଦଳର ଜଣେ ହରିଜନ ନେତାଙ୍କୁ ଧମକାଇବା ଅଭିଯୋଗ ବି ହେଇଥିଲା ।ନିଜର ବ୍ୟବସାୟ ପାଇଁ ଟଙ୍କା ବଳରେ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ନେତୃତ୍ବର ସମାନ୍ତରାଳରେ ନିଜର କୋଟେରୀ ତିଆରି କରି ପ୍ରତିପତ୍ତି ବନେଇରଖିବାକୁ ଚେଷ୍ଟା କରୁଥିବାର ଆଲୋଚନା ହୁଏ ।

କଂଗ୍ରେସରୁ ସଦ୍ୟ ବିଜେଡି କୁ ଆସିଥିବା ଏହି ନେତା ଏବେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟିକାଙ୍କ ବିରୁଦ୍ଧରେ ନିଜର ଜଣେ ସମର୍ଥିକାଙ୍କୁ ଫିଟ୍ କରିଥିବା ବେଳେ କାମାକ୍ଷାନଗର ରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ପଛରେ ଜଣେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଙ୍କୁ ବିଜେଡ଼ି କୁ ଆଣି ଫିଟ୍ କରିବାକୁ ଯୋଜନା କରିଥିବା ଶୁଣାଯାଏ । ନିଜ ଅର୍ଥବଳରେ ସବୁ ଜାଗାରେ ଏହିଭଳି ଛଦ୍ମ ଭାବରେ ହସ୍ତକ୍ଷେପ କରୁଥିଲେ ମଧ୍ୟ ଜିଲ୍ଲାର କିଛି ବରିଷ୍ଠ ଦଳୀୟ ନେତା କିଛି କରିନପାରି ଗୁମୁରି କାନ୍ଦୁଛନ୍ତି ।

ସେ କେତେବେଳେ ସାଂସଦଙ୍କ ଟିକଟ କାଟି ନିଜେ ସାଂସଦ ଭାବେ ଲଢିବା କଥା କହୁଥିବା ବେଳେ କେତେବେଳେ ଜିଲ୍ଲାର ସବୁଠାରୁ ଉଚ୍ଚଶିକ୍ଷିତ ଢେଙ୍କାନାଳ ବିଧାୟକ ସରୋଜ ସାମଲଙ୍କ ଟିକଟ କାଟି ନିଜେ ନିଜେ ବିଧାୟକ ଲଢିବେ ବୋଲି କହୁଛନ୍ତି । ଏପରି କହି ସେ ନିଜରୁ ଜିଲ୍ଲା ବିଜେଡି ର ସର୍ବେସର୍ବା ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦଳୀୟ ମହଲରେ ପ୍ରବଳ ଚର୍ଚ୍ଚା ।

ପରିସ୍ଥିତି ଯଦି ଏହିପରି ରହେ ଓ ରାଜ୍ୟ ନେତୃତ୍ବ ଏହା ଉପରେ ନଜର ନ ଦିଅନ୍ତି ତେବେ ଆଗାମୀ ନିର୍ବାଚନ ବେଳକୁ ଏହା ବିସ୍ଫୋରକ ରୂପ ନନେବ ବୋଲି କହି ହେବନି ।

Leave a comment