Odisha News Insight

ନଭେମ୍ବର ସୁଦ୍ଧା କରୋନା ଟୀକା, ଆଗ ପାଇପାରେ ଓଡ଼ିଶା

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
 କରୋନା ସଂକ୍ରମଣରେ କବଳିତ ଦେଶ ଓ ରାଜ୍ୟ ପାଇଁ ଖୁସି ଖବର । ଆସନ୍ତା ଅକ୍ଟୋବର-ନଭେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ କୋଭିଡ୍ ଟୀକା । ଏହାର ପ୍ରସ୍ତୁତକର୍ତ୍ତା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାର୍ଟନର ପୁନେ ର ସେରମ୍ ଇନଷ୍ଟିଚ୍ୟୁଟ୍ ର ସିଇଓ ଆଦର ପାନୱାଲ୍ ଆଜି ଏହି ସୂଚନା ଦେଇଛନ୍ତି । ଏହି ଟୀକାର ପ୍ରଥମ ପରୀକ୍ଷଣ ସଫଳ ହୋଇଛି । ଅଗଷ୍ଟ ମଧ୍ୟଭାଗରେ ଏହାର ପରବର୍ତ୍ତୀ ପରୀକ୍ଷଣ ହୋଇ ଅକ୍ଟୋବର କିମ୍ବା ନଭେମ୍ବର ସୁଦ୍ଧା ଭ୍ୟାକସିନ୍ ପ୍ରସ୍ତୁତ ହୋଇଯିବ ବୋଲି କହିଛନ୍ତି ପନୱାଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂରେ ଶ୍ରୀ ପାନୱାଲ୍ ଙ୍କ ସହ କୋଭିଡ୍ ଭ୍ୟାକସିନ୍ ର ଅଗ୍ରଗତି ସମ୍ପର୍କରେ କଥା ହୋଇଥିଲେ । କୋଭିଡ୍ ଭ୍ୟାକସିନ୍ ପରୀକ୍ଷଣର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭ୍ୟାକସିନ୍ ପ୍ରସ୍ତୁତ ହୋଇ ଆସିବା ପରେ ଓଡ଼ିଶାକୁ ଅଗ୍ରାଧିକାର ଦେଇ ପଠାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କର ସହଯୋଗ ଲୋଡିଥିଲେ । ସେରମ୍ ଇନଷ୍ଟିଚ୍ୟୁଟ୍ ସହ ରାଜ୍ୟ ସରକାର ଯୋଗାଯୋଗରେ ରହିବେ ବୋଲି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହକୁ ଶ୍ରୀ ପନୱାଲା ତାରିଫ୍ କରିବା ସହ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଓଡ଼ିଶାରେ କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ପନୱାଲା ।

ମୁଖ୍ୟମନ୍ତ୍ରୀଙ୍କର ଏହି ଭିଡ଼ିଓ କନଫରେନ୍ସିଂ କଥାବାର୍ତ୍ତା ବେଳେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର.ବାଲକ୍ରିଷନ୍, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment