Odisha News Insight

ଆର୍ଥିକ ସଙ୍କଟରେ କରୋନା ଚାଲେଞ୍ଜ୍

କରୋନା ଯୁଦ୍ଧରେ ଅବତୀର୍ଣ୍ଣ ରାଜ୍ୟ ସରକାରଙ୍କ ଆଗରେ ଉଭା ହୋଇଛି ଆର୍ଥିକ ସଙ୍କଟ । ଏପ୍ରିଲ୍/ମେ’ ମାସରେ ୭୦% ରାଜସ୍ୱ କମିଥିବା ବେଳେ ଜୁନ୍/ଜୁଲାଇରେ ୨୦% ରାଜସ୍ୱ କମିଛି । କରୋନା ପାଇଁ ଏହି ଅବସ୍ଥା ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଯୋଜନାରେ ଅନୁଦାନ କମିବା ଆଶଙ୍କା ମଧ୍ୟ ରହିଛି । ଗୋଟେ ପଟେ କରୋନା ମୁକାବିଲା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଏବଂ ଅନ୍ୟପକ୍ଷେ ରାଜସ୍ୱ ଓ କେନ୍ଦ୍ରୀୟ ଅନୁଦାନ ହ୍ରାସ୍ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଏହି ସଙ୍କଟରୁ ମୁକୁଳିବା ପାଇଁ ରାଜ୍ୟ ବଜେଟ୍ ର ପୁନର୍ବିନ୍ୟାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଲୋକଙ୍କ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ସରକାର ଆଗକୁ ବଢ଼ିବେ । ବର୍ତ୍ତମାନ ପରିସ୍ଥିତିରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଗ୍ରାମ୍ୟ ନିଯୁକ୍ତି ଏବଂ ସାମାଜିକ କ୍ଷେତ୍ରକୁ ଅନୁରୂପ ଗୁରୁତ୍ୱ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ିଦେଲେ ଅନ୍ୟ ବିଭାଗରେ ଖର୍ଚ୍ଚ ନ ହୋଇ ପଡ଼ି ରହିଥିବା ଅର୍ଥର ସୁବିନିଯୋଗ କରାଯିବ ।

କରୋନା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଇତିମଧ୍ୟରେ କାମ୍ଫା, ଓମ୍ବାଡସିରୁ ୩% ସୁଧରେ ୧ ହଜାର କୋଟି ଋଣ ଆଣିଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବାର୍ଷିକ ଋଣ ଏଫଆରବିଏମ୍ ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟରେ ରହିଥିବାରୁ ସେଭଳି ସମସ୍ୟା ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସ୍ପଷ୍ଟ କରିଛନ୍ତି ।

କରୋନା ମୁକାବିଲା ପାଇଁ ଅଦ୍ୟାବଧି ଖର୍ଚ୍ଚ ହେଲାଣି ପ୍ରାୟ ୧୯୦୦ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦୪ କୋଟି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୬୨୪ କୋଟି, ପଞ୍ଚାୟତିରାଜ ବିଭାଗ ମାଧ୍ୟମରେ ୮୭୫ କୋଟି ଏବଂ ବିଧାୟକ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ ହୋଇଛି ୭୩ କୋଟି । କୋଭିଡ୍ ଲଢ଼େଇରେ ହୋଇଥିବା ବାକି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜ ପାଣ୍ଠିରୁ ବହନ କରୁଛନ୍ତି ।

ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ କୋଭିଡ୍ ଲଢ଼େଇ ଏବଂ କୋଭିଡ୍ ପରିଚାଳନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । କରୋନା ସ୍ଥିତି ଏବଂ ମୁକାବିଲାର ସମସ୍ତ ତଥ୍ୟ ମନ୍ତ୍ରୀ ପରିଷଦକୁ ଅବଗତ କରାଯାଇଥିଲା ।

ରାଜ୍ୟରେ ଏବେ ୩୫ ଟି କୋଭିଡ୍ ହସ୍ପିଟାଲ୍ ଏବଂ ୧୩, ୭୯୬ କ୍ୱାରେଣ୍ଟାଇନ୍ କେନ୍ଦ୍ର( ୬ ଲକ୍ଷ ୧୭ ହଜାର ୯୦ ଶଯ୍ୟା) କାର୍ଯ୍ୟ କରୁଛି । ଏ ପର୍ଯ୍ୟନ୍ତ ୮ ଲକ୍ଷ ୫୦ ହଜାର ବ୍ୟକ୍ତି କ୍ୱାରେଣ୍ଟାଇନ୍ ସାରି ଘରକୁ ଫେରିଲେଣି । କରୋନା ମୁକାବିଲାରେ ୮୦୨୩ ଡାକ୍ତର ନିୟୋଜିତ ଅଛନ୍ତି । ୪ ହଜାର ୧୪ ଜଣ ଆୟୁଷ ଡାକ୍ତର ମଧ୍ୟ ନିୟୋଜିତ ଅଛନ୍ତି । କରୋନା ଆକ୍ରାନ୍ତଙ୍କର କ୍ୱାରେଣ୍ଟାଇନ୍, ଚିକିତ୍ସା, ଖାଦ୍ୟପେୟ, ଓଷଧ, ପରିମଳ ଆଦି ବାବଦ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ପାଇଁ ମଧ୍ୟ ରାଜ୍ୟ ସରକାର ୭,୫୦୦ ଟଙ୍କା ଯୋଗାଇ ଦେଉଛନ୍ତି ।

ମନ୍ତ୍ରୀ ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ହେଉଛି

(୧) ରାଜ୍ୟରେ ସ୍ୱାସ୍ଥ୍ୟସେବା ଅବ୍ୟାହତ ରଖିବା ପାଇଁ ଆବଶ୍ୟକୀୟ ଅର୍ଥ ବରାଦ କରାଯିବ ।
(୨) ସମସ୍ତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ବଜାୟ ରହିବ ।
(୩) ଶିକ୍ଷା କ୍ଷେତ୍ରରେ ଥିବା ଯୋଜନା ସବୁ ଚାଲୁ ରହିବ ।
(୪) ଜୀବିକା ନିର୍ବାହ ଉପାୟ ବୃଦ୍ଧି ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ।
(୫) ଚାଲୁ ରହିଥିବା କାର୍ଯ୍ୟ ଓ ପ୍ରକଳ୍ପ ବନ୍ଦ ହେବ ନାହିଁ ।
(୬) ଅଣ-ଅଗ୍ରାଧିକାର କ୍ଷେତ୍ରରେ ନୂଆ ପୁଞ୍ଜି ବିନିଯୋଗ ଉପରେ କଟକଣା ରହିବ ।
(୭) କମ ସୁଧହାରରେ ମିଳୁଥିବା ପାଣ୍ଠିରୁ ଯଥୋଚିତ ପରିମାଣ ଋଣ କରାଯିବ ।

ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭରେ ମୃତ୍ୟୁବରଣ କରିଥିବା ୮ କୋଭିଡ୍ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ସହିଦ ହୋଇଥିବା କର୍ମଚାରୀମାନେ ଅବସର ନେବା ପର୍ଯ୍ୟନ୍ତ ଯେତିକି ଦରମା ପାଇଥାଆନ୍ତେ ସେହିଭଳି ହାରରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ସମେତ ଅନ୍ୟ ସହାୟତା ପ୍ରଦାନ କରିବାକୁ ନୀତିଗତ ନିଷ୍ପତ୍ତି ହୋଇଥିଲା ।

Leave a comment