Odisha News Insight

ଫସିବେ ଫେକ୍‌କଲକାରୀ, ମାମଲା ରୁଜୁ

ଥଟ୍ଟା-ମଜା କରିବା ମହଙ୍ଗା ପଡିଲା । ଟାଇମପାସ୍ ପାଇଁ କଲ ସେଣ୍ଟରକୁ କଲ କରି ଝିଅଙ୍କ ସହ ଗପିବା ଏବେ ଫେକ କଲକାରୀଙ୍କ ପାଇଁ କାଳ ସାଜିଲା । ପୁଲିସ ଫେକକଲକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ଖୁବଶୀଘ୍ର ସେମାନଙ୍କୁ ପୁଲିସ ବାନ୍ଧିବ ବୋଲି ଜଣାପଡିଛି । ୧୦୪ ହେଲଫ ଲାଇନକୁ ଫେକ କଲ କରିଥିବା ୩୮ ଜଣଙ୍କ ନାଁରେ ଶହୀଦନଗର ଥାନାରେ ମାମଲା ରୁଜୁ ହୋଇଛି । କଲ ଆସିଥିବା ମୋବାଇଲ ନମ୍ବରକୁ ଟ୍ରାକ କରି ପୁଲିସ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । 

ତେବେ ଗୁରୁତ୍ୱପୂର୍ଣ୍ଣ କଥାହେଲା ଗୋଟିଏ ନମ୍ବରରୁ ୨୭୯ ଥର କଲ ଆସିଛି । ତେବେ ଏହି ଅସାମାଜିକ ଯୁବକଙ୍କ ବିରୋଧରେ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକସ୍ଥଳେ ସେମାନଙ୍କ ଏନଏସଏ ବା  ଜାତୀୟ ନିରାପତ୍ତା ଆଇନ ବଳରେ ବୁକ କରାଯିବ ବୋଲି ପୁଲିସ ଅଧିକାରୀ ଜଣକ ସୂଚନା ଦେଇଛନ୍ତି । ତେବେ ଏହି କଲସେଣ୍ଟରକୁ ଦୈନିକ ୧୫ ହଜାର କଲ ଆସୁଥିବା ବେଳେ ସେଥିରୁ ୩ରୁ ୪ହଜାର ଫେକକଲ ଆସୁଛି ।

ମହାମାରୀ କରୋନା ସମୟରେ ଲୋକଙ୍କୁ ସହାୟତା ପ୍ରଦାନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୪ କଲସେଣ୍ଟର ଖୋଲାଯାଇଛି । ବିଦେଶ ଫେରନ୍ତାଙ୍କ ତଥ୍ୟ ଓ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ଏହି କଲସେଣ୍ଟର କାର୍ଯ୍ୟ କରୁଛି । ତେବେ ଗତ କିଛିଦିନ ହେଲା ରାଜ୍ୟ ଓ ରାଜ୍ୟ ବାହାରୁ କଲସେଣ୍ଟରକୁ ଅନେକ ଫେକ କଲ ଆସୁଛି । ବାରମ୍ବାର ବାରଣ କରିବା ସତ୍ତ୍ୱେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି । କିଏ କଲସେଣ୍ଟର କର୍ମଚାରୀଙ୍କୁ ପ୍ରେମ ନିବେଦନ କରୁଛି, ତ ଆଉ କିଏ ସେମାନଙ୍କ ନାଁ ଗାଁ ଓ ଫୋନ ନମ୍ବର ମାଗି ହଇରାଣ କରୁଛି । ବିଶେଷ କରି କଲସେଣ୍ଟରରେ ଯୁବତୀମାନେ କାମ କରୁଥିବାରୁ ସେମାନଙ୍କ ପାଖକୁ ଏଭଳି ଫେକ କଲ ଆସୁଛି । ଯାହା ଏବେ ଚିନ୍ତାର କାରଣ ହୋଇଛି ।

ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକାଂଶ ପଶ୍ଚିମବଙ୍ଗ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସରକାର ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କୁ ଠାବ କରିବାକୁ ଉଦ୍ୟମ କରୁଛନ୍ତି । ଏଭଳି ସ୍ଥିତିରେ ହେଲଫ ଲାଇନ ନମ୍ବରରେ କାମ କରୁଥିବା କର୍ମଚାରୀଙ୍କୁ ଅଯଥା ଫୋନ କରି ଦୁର୍ବୃତ୍ତମାନେ ଅସୁବିଧାରେ ପକାଉଛନ୍ତି । ମାତ୍ରାଧିକ ଫେକକଲ ଆସିବାରୁ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ।

Leave a comment